Categories: ଫୁରସତ

ବୃଦ୍ଧାଙ୍କ ଦାଢି

ଲମ୍ବା ଦାଢି ରଖିବା ଆଜିକାଲି ପୁରୁଷମାନଙ୍କର ଫ୍ୟାଶନ ପାଲଟିଛି। କିଏ ଲମ୍ବା ତ କିଏ ଛୋଟ ଦାଢି ବେଶ୍‌ ସାଇଜ୍‌୍‌ରେ ରଖୁଛନ୍ତି। ହେଲେ କେବେ ମହିଳା ଦାଢି ରଖୁଥିବା କଥା ଜାଣିଛନ୍ତି? ଆମେରିକା, ଓକ୍ଲୋହାମାସ୍ଥ ଲ’ଟନ୍‌ରେ ରୁହୁଥିବା ଜଣେ ବୃଦ୍ଧା ଦାଢି ରଖି ଏବେ ଚର୍ଚ୍ଚାରେ ଅଛନ୍ତି। ପୁରୁଷଙ୍କ ପରି ସେ ବେଶ୍‌ ଲମ୍ବା ଦାଢି ରଖିଛନ୍ତି। ଆଉ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ଲମ୍ବା ଦାଢି ଥିବା ବୃଦ୍ଧା ଭାବେ ରେକର୍ଡର ଅଧିକାରୀ ବି ହୋଇପାରିଛନ୍ତି। ୭୪ ବର୍ଷୀୟା ଏହି ବୃଦ୍ଧାଙ୍କ ନାମ ହେଉଛି ଭିଭିଆନ୍‌ ହ୍ବିଲର୍‌। ୩ ସନ୍ତାନର ମା’ ସହ ଜେଜେମା’ ହୋଇ ସାରିଥିବା ଭିଭିଆନ୍‌ଙ୍କ ଦାଢିର ଲମ୍ବ ହେଉଛି ୧୦ ଇଞ୍ଚ। ଡେଲି ଷ୍ଟାର ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ ଭିଭିଆନ ଖୁସିରେ ଦାଢି ରଖି ନାହାନ୍ତି। ବରଂ ସେ ହର୍ମାଫ୍ରୋଡାଇଟିଜମ୍‌ ନାମକ ଏକ ରୋଗରେ ଆକ୍ରାନ୍ତ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ଅଧା ପୁରୁଷ ଓ ଅଧା ନାରୀ ହୋଇଥାନ୍ତି। ତା’ସହ ଜନ୍ମରୁ ସେ ହାଇପର୍‌୍‌ଟ୍ରାଏକୋସିସ୍‌(ଓ୍ବେରଉଲ୍ଫ ସିଣ୍ଡ୍ରୋମ୍‌୍‌)ରେ ଆକ୍ରାନ୍ତ। ତେଣୁ ୫ ବର୍ଷ ବୟସରୁ ହିଁ ତାଙ୍କ ମୁଣ୍ଡର କେଶ ସହ ନିଶ ଦାଢି ବି ବଢୁଥିଲା। ଝିଅର ଏଭଳି ସ୍ଥିତିରେ ତାଙ୍କ ବାପା ମର୍ମାହତ ହେଇ ତାଙ୍କୁ ସର୍କସରେ ଛାଡି ଦେଇଥିଲେ। ମାସିକ ୮୧ ହଜାର ରୋଜଗାର କରି ସେ ପରିବାର ଚଳାଉଥିଲେ। ସର୍କସରୁ ଘରକୁ ଆସିଲେ ତାଙ୍କ ବାପା ଜବରଦସ୍ତୀ ତାଙ୍କ ଦାଢି କାଟି ଦେଉଥିଲେ। ଯେମିତିକି ତାଙ୍କୁ ଲାଜ ଲାଗିବନି ଓ ସେ ଅନ୍ୟ ଲୋକଙ୍କ ସହ ମିଶିପାରିବେ। ଏମିତିରେ ଜୀବନ ଚାଲିଥାଏ। ଚାରିଥରର ଅସଫଳ ବିବାହ ଓ ମା’ଙ୍କ ଦେହାନ୍ତ ପରେ, ଶେଷରେ ୧୯୯୩ ପରଠାରୁ ସେ ଦାଢି ଶେଭିଂ ହେବା ବନ୍ଦ କରିଦେଲେ। ଆଉ ଦାଢିକୁ ଶରୀରର ଏକ ଅଂଶ ଭାବି ବଢାଇବାକୁ ଲାଗିଲେ। ଏବେ ସେ ନିଜ ଦାଢିକୁ ନେଇ ବେଶ୍‌ ଖୁସି ଅଛନ୍ତି।

Share