କାଠମାଣ୍ଡୁ,୧୪।୫: କେପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନେପାଳ ସଂସଦରେ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ସେ ଏହି ପଦରେ ପୁଣି ବସିଛନ୍ତି। ନିକଟରେ କେପି ଓଲି ସଂସଦରେ ବହୁମତ ସାବ୍ୟସ୍ତ କରି ନ ପାରିବାରୁ ସେ ତାଙ୍କ ପଦବୀ ହରାଇଥିଲେ। ହେଲେ ଗୁରୁବାର ବିରୋଧୀ ବହୁମତ ସାବ୍ୟସ୍ତ କରି ନ ପାରିବାରୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓଲିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ଶପଥ ପାଠ କରାଇବେ।
ସୂଚନାଯୋଗ୍ୟ, ସୋମବାର ନେପାଳ ସଂସଦରେ ଶାସକ ଦଳ ସିପିଏନ-ୟୁଏମଏଲକୁ ବହୁମତ ସାବ୍ୟସ୍ତ କରିବାକୁ ରାଷ୍ଟ୍ରପତି କହିଥିଲେ। କିନ୍ତୁ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ଓଲି ବିଫଳ ହୋଇଥିଲେ। ଏହାପରେ ନୈତକାତା ଦୃଷ୍ଟିରୁ ଓଲି ପିଏମ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ବିରୋଧୀ ଦଳକୁ ଗୁରୁବାର ରାତି ୯ ସୁଦ୍ଧା ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ ରାଷ୍ଟ୍ରପତି। କିନ୍ତୁ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲେ।