ଶାସକ ଦଳରୁ ଓଲି ବିଦା

କାଠମାଣ୍ଡୁ, ୨୫ା୧: ନେପାଳ ରାଜନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ପୁଣି ସୃଷ୍ଟି ହୋଇଛି ହଇଚଇ। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ବାହାର ରାସ୍ତା ଦେଖାଇଛି ତାଙ୍କ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)। ପାର୍ଟିରୁ ତାଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ସେଣ୍ଟ୍ରାଲ କମିଟି ବୈଠକ ଡକାଯାଇ ଏହି ପଦକ୍ଷେପ ନିଆଯାଇଥିବା ଦଳର ବିରୋଧୀ ଗୋଷ୍ଠୀ ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ ସୂଚନା ଦେଇଛନ୍ତି।
ଗତ ବର୍ଷ ଡିସେମ୍ବର ୨୦ରେ ଦେଶରେ ପାର୍ଲାମେଣ୍ଟ ଭଙ୍ଗ ହେବାପରଠାରୁ ରାଜନୈତିକ ଉତ୍ତେଜନା ଜାରି ରହିଛି। ବେଆଇନ ଭାବେ ସମ୍ବିଧାନକୁ ଉଲ୍ଲଂଘନ କରି ଓଲି ସଂସଦ ଭାଙ୍ଗିଥିବା ଏନ୍‌ସିପିର ବିରୋଧୀ ଗୋଷ୍ଠୀ ନେତା ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଅଭିଯୋଗ କରିଥିଲେ। ଶୁକ୍ରବାର ପ୍ରଚଣ୍ଡ ସରକାରୀ ବିରୋଧୀ ରାଲି ସଙ୍ଗଠିତ କରି ଏହାର ନେତୃତ୍ୱ ନେଇଥିଲେ। ଓଲିଙ୍କ ଏଭଳି କାର୍ଯ୍ୟ ଦେଶର ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ବିପଦ। କେବଳ ଦଳ ନୁହେଁ ଓଲି ସମ୍ବିଧାନ ବିରୋଧରେ ମଧ୍ୟ କାର୍ଯ୍ୟ କରିଛନ୍ତି ବୋଲି ପ୍ରଚଣ୍ଡ କହିଥିଲେ। ଅସ୍ଥିରତା ମଧ୍ୟରେ ଆସନ୍ତା ଏପ୍ରିଲ/ମେ ମଧ୍ୟରେ ନିର୍ବାଚନ କରିବାକୁ ଏନ୍‌ସିପି ବିରୋଧୀ ଦଳ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜାରି ରହିଛି।

Share