କେନ୍ଦ୍ରାପଡ଼ା ଅଫିସ, ୧୭ା୯:ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ପ୍ରଜନନସ୍ଥଳ ପାଇଁ ଜାତୀୟ ଉଦ୍ୟାନ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଲକ୍ଷାଧିକ ଅଲିଭ ରିଡଲେ ଆସନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ାର ମାସ୍କଟ ଭାବେ ‘ଓଲି’କୁ ବ୍ୟବହାର କରି ଜନସଚେତନତା ସୃଷ୍ଟି କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଇଁଛର ସୁରକ୍ଷା ପାଇଁ ଜନସାଧାରଣକୁ ନିବେଦନ କରିବା ସହ ଖେଳରେ ଓଲିର ବ୍ୟବହାରକୁ ଗୁରୁତ୍ୱ ଦେଇଆସିଛନ୍ତି। ହେଲେ ଭିତରକନିକା ଜାତୀୟ ଉଦ୍ୟାନ ନୂଆ ଲୋଗୋରେ ଓଲିକୁ ବାଦ୍ ଦିଆଯାଇଛି। ଡିଏଫ୍ଓଙ୍କ ଟୁଇଟ୍ରେ ଆସିଥିବା ଏହି ଲୋଗୋକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଭିତରକନିକା ଇକୋ ସେନ୍ସିଟିଭ ଜୋନ୍ ମନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ଭିତରକନିକା ବନାଞ୍ଚଳକୁ ୧୯୯୮ସେପ୍ଟେମ୍ବର ୧୬ରେ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଥିଲା। ଗୁରୁବାର ଏହି ମାନ୍ୟତାକୁ ୨୩ ବର୍ଷ ପୂରିଛି। ଏହାର ଅବ୍ୟବହିତ ପୂର୍ବରୁ ରାଜନଗର ଡିଏଫ୍ଓ ଡ. ଯଜ୍ଞଦତ୍ତ ପତି ବୁଧବାର ଏକ ଟ୍ବିଇଟ୍ ଯୋଗେ ନୂଆ ଲୋଗୋ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଲୋଗୋରେ ଭିତରକନିକା ଓ ଓଡ଼ିଶା ଲେଖା ଥିବାବେଳେ ଏଥିରେ ହେନ୍ତାଳ ବଣ, ଡଲ୍ଫିନ, ହରିଣ, ମାଛରଙ୍କା, ଅହିରାଜ, କୁମ୍ଭୀର ଆଦିଙ୍କୁ ସ୍ଥାନ ଦିଆଯାଇଛି। ଏପରିକି ଭିତରକନିକାରେ ବାଘ ନ ଥିଲେ ମଧ୍ୟ ବାଘ ପାଦ ଚିହ୍ନ ରହିଛି। ତେବେ ବିଶ୍ୱସ୍ତରରେ ବିରଳ ଅଲିଭ ରିଡ୍ଲେଙ୍କୁ ସ୍ଥାନିତ କରାଯାଇ ନାହିଁ। ରାଜ୍ୟ ସରକାର ବିରଳ ପ୍ରଜାତିର ଏହି କଇଁଛଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଲୋଗୋରେ ସ୍ଥାନ ନ ପାଇବା ଆଗାମୀଦିନରେ ଏହାର ସଂରକ୍ଷଣ ପ୍ରତି ଆଶଙ୍କା ସୃଷ୍ଟି କରିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା, ପରିବେଶବିତ୍ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ଜୀବନଚକ୍ର ରହସ୍ୟମୟ। ବିଶ୍ୱରେ ଏହାର ସଂଖ୍ୟା କମ୍। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍ କଞ୍ଜରଭେଟର ଅଫ୍ ନେଚର(ଆଇୟୁସିଏନ୍)ପକ୍ଷରୁ ଏହାର ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି। ସୁଖର କଥା କେନ୍ଦ୍ରାପଡ଼ା ଜିଲା ଭିତରକନିକାସ୍ଥିତ ଗହୀରମଥା ଏହି ପ୍ରଜାତିର କଇଁଛଙ୍କ ଅନ୍ତୁଡିଶାଳ ହୋଇଥିବାରୁ ଗବେଷକ ଓ ପ୍ରକୃତିପ୍ରେମୀଙ୍କ ଆକର୍ଷଣ ସାଜିଛି। ଗହୀରମଥାରେ ଏମାନଙ୍କ ସମ୍ମେଳନକୁ ଲକ୍ଷ୍ୟ କରାଯାଇ ରାଜ୍ୟ ସରକାର ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାଞ୍ଚଳ ଭାବେ ସଂରକ୍ଷିତ କରିଛନ୍ତି। ସେହିପରି ଏହି କଇଁଛଙ୍କ ସୁରକ୍ଷା ପାଇଁ ୨୦୧୭ ଓ ୨୦୧୮ରେ ମାସ୍କଟ ଭାବେ ବ୍ୟବହାର କରିଛନ୍ତି। ଭିତରକନିକାର ଧଳା କୁମ୍ଭୀର ଗୋରୀକୁ ୨୦୧୦ରେ ଜାତୀୟ ଯୁବ ଉତ୍ସବରେ ଓଡ଼ିଶା ସରକାର ମାସ୍କଟ ଭାବେ ବ୍ୟବହାର କରିଥଲେ। ୨୨ତମ ଏସିଆନ ଆଥେଲେଟିକ୍ସ ଓ ୨୦୧୮ରେ ହକି ଅଲିମ୍ପିକରେ ଓଲିକୁ ମାସ୍କଟ୍ ଭାବେ ବ୍ୟବହାର କରାଯାଇଛି। ସମୁଦ୍ର ତଟକ୍ଷୟ, ଚିଙ୍ଗୁଡି ଘେରି, ଶିଳ୍ପ ପ୍ରଦୂଷଣ, ଶିକାରୀଙ୍କ ନଜର, ସାମୁଦ୍ରିକ ବୋଟ୍ ଆଦି ସମସ୍ୟାକୁ ଜୁଝୁଥିବା ଏହି ବିରଳ ପ୍ରଜାତିକୁ ଲୋଗୋରେ ନ ରଖିବା କ୍ଷୋଭର ବିଷୟ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍ଓ ଡ. ପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ନଂ.୯୪୩୭୦୩୭୩୭୦ ଉଠାଇ ନ ଥିଲେ। ଏ ସମ୍ପର୍କରେ ରିଜିଓନାଲ ଚିଫ୍ କଞ୍ଜରଭେଟର ଅଫ୍ ଫରେଷ୍ଟସ୍ (ଆରସିସିଏଫ୍) ମନୋଜ ମହାପାତ୍ର କହିଛନ୍ତି, ଯେକୌଣସି ଲୋଗୋ ସରକାରୀ ସ୍ବୀକୃତି ପାଇବା ପାଇଁ ପଞ୍ଜୀକରଣ କରାଯାଇଥାଏ। ଏପରି ଲୋଗୋ କେଉଁ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଜଣା ନ ଥିବା ସେ କହିଛନ୍ତି।