ଜଗନ୍ନାଥ ଧଳ
କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ପରେ ଏହାର ଡେମୋ କପ କେନ୍ଦ୍ରାପଡ଼ା ଜିଲାକୁ ସୋମବାର ଆସିଛି। ୨ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରାଯାଇଛି। ଏହି ଅବସରରେ ହକିର ମାସ୍କଟ ଓଲିକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଅଲିଭ୍ ରିଡ୍ଲେ କଇଁଛର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ମାସ୍କଟ ଓଲି ସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସେଲଫି ଉଠାଉଛନ୍ତି। ଅପରପକ୍ଷରେ ଓଲିର ଅନ୍ତୁଡିଶାଳ ଭାବେ ବିଶ୍ୱରେ ପରିଚିତ ଗହୀରମଥା ଏହି ଜୀବଙ୍କ ଶ୍ମଶାନ ପାଲଟିଛି। ତଟକ୍ଷୟ ଅନ୍ତୁଡିଶାଳକୁ ସୀମିତ କରୁଛି। ସେହିପରି ସୀମିତ ସ୍ଥାନ ହେତୁ ଅଣ୍ଡା ନଷ୍ଟ ହେବା ସହ କୁଆ, କୁକୁର, କୋକିଶିଆଳିଙ୍କ ଆହାର ହେଉଛି। ସମୁଦ୍ରରେ ମଧ୍ୟ ବିପଦ କମୁନାହିଁ। ସାମୁଦ୍ରିକ ଜୀବଙ୍କ ଆହାର ସହ ବୋଟ, ଟ୍ରଲରର ଜାଲ ମାଡରେ ଜୀବନ ଯାଉଛି।
ଏ ସମ୍ପର୍କରେ ପରିବେଶବିତ୍ ହେମନ୍ତ କୁମାର ରାଉତ, ପ୍ରଭୁ ପ୍ରସାଦ ମହାପାତ୍ର, ଅଶୋକ ସ୍ବାଇଁ, ସମରେନ୍ଦ୍ର ମାହାଳି କହିଛନ୍ତି ଯେ, ଇଣ୍ଟର ନ୍ୟାଶନାଲ ୟୁନିୟନ ଫର୍ କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ରେଡ ଡାଟା ଲିଷ୍ଟରେ ଅଲିଭ୍ ରିଡ୍ଲେ ରହିଛି। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ରେ ଅଲିଭ୍ ରିଡ୍ଲେକୁ ସିଡ୍ୟୁଲ ୧ରେ ରଖାଯାଇ ଏହାର ସୁରକ୍ଷା ଯୋଗାଇ ଦିଆଯାଉଛି। ଏହାସହ ଓଡ଼ିଶା ମେରାଇନ ଫିଶିଂ ରେଜ୍ୟୁଲେଶନ ଆକ୍ଟ ୧୯୮୧ରେ ତଟଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିଶିଂ ଜୋନ, ପରିବେଶ ସୁରକ୍ଷା ଆଇନ ୧୯୮୬, କୋଷ୍ଟାଲ ରେଜ୍ୟୁଲେଶନ ଜୋନ ୧, ୨, ୩ ଏବଂ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ ୧୯୮୨ ପରି ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରଦାନ କରୁଛି।
ଜାତୀୟ ଉଦ୍ୟାନ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସୁରକ୍ଷା ଓ ପ୍ରଜନନ ସମ୍ପର୍କରେ ଅନୁଧ୍ୟାନ ପାଇଁ ବରିଷ୍ଠ ପ୍ରାଣୀ ବିଶେଷଜ୍ଞ ଡ. ଏଚ. ଆର. ବର୍ଣ୍ଣାଡ ୧୯୭୪ ଜାନୁୟାରୀ ୨ରେ ଆସିଥିଲେ। ଏହି ସମୟରେ ଗହୀରମଥାରେ ଅଲିଭ୍ ରିଡ୍ଲେଙ୍କ ସମାଗମକୁ ଦେଖି ବିଶ୍ୱସ୍ତରରେ ଏ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇଥିଲେ। ଏହାର ସୁରକ୍ଷା ପାଇଁ ୧୯୯୭ ମସିହାରେ ଗହୀରମଥାର ୧୪୩୫ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିଲା। ନିଜର ରଙ୍ଗ ପାଇଁ ଅଲିଭ୍ ରିଡ୍ଲେ ସ୍ବତନ୍ତ୍ର ଭାବେ ଜଣାପଡେ। ଏହାସହ ଏମାନଙ୍କ ଓଜନ ୫୫ରୁ ୬୫ କେଜି ମଧ୍ୟରେ ସୀମିତ। ସେହିପରି ପ୍ରକୃତିର ଏହି ବିସ୍ମୟ ଜୀବ ଗହୀରମଥାକୁ ନଭେମ୍ବରରୁ ଆସି ମେ ମାସ ଶେଷ ମଧ୍ୟରେ ସମୁଦ୍ରକୁ ଫେରିଥାନ୍ତି। ଅବଶିଷ୍ଟ ସମୟର ଜୀବନ ପ୍ରଣାଳୀକୁ ଜାଣିବା ପାଇଁ ସାମୁଦ୍ରିକ ଗବେଷଣାଗାର ନିମନ୍ତେ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାରେ ପ୍ରତିଷ୍ଠା ହୋଇପାରିଲା ନାହିଁ। ସେହିପରି ପୂର୍ଣ୍ଣ ଯୌବନ ପ୍ରାପ୍ତ ଓ ଶାବକ କଇଁଛଙ୍କ ବ୍ୟତୀତ ଗହୀରମଥା ଅଞ୍ଚଳରେ ଏହି ପ୍ରଜାତିଙ୍କୁ କେବେ ବି ଦେଖିବାକୁ ମିଳୁନାହିଁ। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ସମୁଦ୍ରରେ ମିଳନ ପର୍ବ ପରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସମୁଦ୍ର ଢେଉଠାରୁ ପ୍ରାୟ ୧୫୦ ମିଟର ଦୂର ବେଳାଭୂମିରେ ମାଆ କଇଁଛ ଆଗ ୨ ଗୋଡରେ ବାଲି ଆଡେଇ ଥାଏ। ପରେ ସେଠାରେ ୧୦୦ରୁ ୧୮୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଅଣ୍ଡାକୁ ବାଲିରେ ଘୋଡାଇ ମାଆ କଇଁଛ ସମୁଦ୍ରକୁ ଫେରି ଯାଇଥାଏ। ମେ ଶେଷ ସୁଦ୍ଧା ଅଣ୍ଡାରୁ ଶାବକ ବାହାରି ମାଆଙ୍କ ପଥ ଅନୁସରଣ କରିଥାନ୍ତି। ସମ୍ପ୍ରତି ଏହି ଜୀବଙ୍କ ଅଣ୍ଡା ସୁରକ୍ଷା ଏକ ଚିନ୍ତାର ବିଷୟ ହୋଇଛି। ତଟକ୍ଷୟ ଯୋଗୁ ଅଗରନାଶୀ ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଗହୀରମଥାର ବିଭିନ୍ନ ବେଳାଭୂମି ସଙ୍କୁଚିତ ହୋଇଛି। ଲକ୍ଷାଧିକ କଇଁଛ ଅଣ୍ଡା ଦେଇ ଫେରିବା ପରେ ଅନ୍ୟ କଇଁଛ ସେହି ସ୍ଥାନକୁ ଆଡେଇ ଅଣ୍ଡାଦାନ କରୁଛନ୍ତି। ଫଳରେ ପୂର୍ବ ଅଣ୍ଡାଗୁଡିକ ନଷ୍ଟ ହେଉଛି। ୧୯୮୭ ମସିହାଠାରୁ ସେଣ୍ଟ୍ରାଲ ଆମେରିକାର କୋଷ୍ଟାରିକା ଦ୍ୱୀପରେ ସ୍ଥାନୀୟ ଲୋକଙ୍କୁ ପ୍ରଥମ ୩୬ ଘଣ୍ଟା ମଧ୍ୟରେ କଇଁଛଙ୍କ ଅଣ୍ଡା ସଂଗ୍ରହ ପାଇଁ ଅନୁମତି ମିଳୁଛି। ସେହିପରି ବ୍ୟବସ୍ଥା କରାଗଲେ ଜିଲାକୁ ଆର୍ଥିକ ସହଯୋଗ ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ ନଭେମ୍ବରଠାରୁ ମେ ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଅଲିଭ୍ ରିଡେଲ ପାଇଁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ବନ ବିଭାଗ ପକ୍ଷରୁ ଅଲିଭ୍ ରିଡେ୍ଲ କଇଁଛ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ କହିଛନ୍ତି।