ସାଉଥାମ୍ପଟନ, ୨୬ା୮ (ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍ଙ୍କ ବାମ କାନ୍ଧର ସ୍କାନ ହେବ। ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସରେ ଫିଲ୍ଡିଂ ବେଳେ ସେ ଆଘାତପ୍ରାପ୍ତ ହୋଇଛନ୍ତି। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କର ଗତବର୍ଷ ସମାନ କାନ୍ଧରେ ଅସ୍ତ୍ରୋପଚାର ହୋଇଥିଲା। ଏଥିପାଇଁ ତାଙ୍କୁ ୩ମାସ ଖେଳରୁ ଦୂରେଇ ରହିବାକୁ ପଡ଼ିଥିଲା। ଷ୍ଟୁଆର୍ଟ ବ୍ରଡ୍ଙ୍କ ଏକ ଡେଲିଭରିରେ ଏକ ଚୌକା ଅଟକାଇବାକୁ ଯାଇ ପୋପ୍ ଡାଇଭ୍ ମାରିଥିଲେ। ଆଘାତପ୍ରାପ୍ତ ହେବାପରେ ତାଙ୍କୁ ତୁରନ୍ତ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଜେମ୍ସ ବ୍ରେସି ଫିଲ୍ଡିଂ କରିଥିଲେ।