ସଂସଦୀୟ ଦଳ ନେତା ପଦରୁ ଓଲି ବିଦା

କାଠମାଣ୍ଡୁ, ୨୪।୧୨ (ଆଇଏଏନ୍‌ଏସ୍‌): ନେପାଳ ପାର୍ଲାମେଣ୍ଟ ଭଙ୍ଗ ପରେ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ବୁଧବାର ସଂସଦୀୟ ଦଳ ନେତା ପଦରୁ ହଟାଇଦିଆଯାଇଛି। ଫଳରେ ସେଠାରେ ରାଜନୈତିକ ସଙ୍କଟ ଗମ୍ଭୀର ହୋଇଛି। ଦଳର ଅନ୍ୟତମ ଅଧ୍ୟକ୍ଷ ପୁଷ୍ପକୁମାର ଦହଲ ‘ପ୍ରଚଣ୍ଡ’ ଏବଂ ମାଧବ କୁମାର ନେପାଳଙ୍କ ସହ ଓଲିଙ୍କ ବୈଠକ ପରେ ତାଙ୍କୁ ସଂସଦୀୟ ନେତା ପଦରୁ ହଟାଇଦିଆଯାଇଛି। ପ୍ରଚଣ୍ଡ-ନେପାଳ ଗୋଷ୍ଠୀ ପ୍ରଚଣ୍ଡଙ୍କୁ ନୂଆ ସଂସଦୀୟ ଦଳ ନେତା ନିଯୁକ୍ତ କରିଛନ୍ତି।
ଯଦି ଓଲି ଭୁଲ୍‌ ସ୍ବୀକାର କରି କ୍ଷମା ମାଗନ୍ତି, ତେବେ ତାଙ୍କୁ ଦଳରେ ନେବା ନେଇ ବିଚାର କରାଯିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ କହିଛନ୍ତି। ମଙ୍ଗଳବାର ପ୍ରଚଣ୍ଡ-ନେପାଳ ଗୋଷ୍ଠୀର କେନ୍ଦ୍ରୀୟ କମିଟି ବୈଠକ ବସି ଓଲିଙ୍କୁ ଦଳ ଅଧ୍ୟକ୍ଷ ପଦରୁ ବିଦା କରାଯିବା ସହ ନେପାଳଙ୍କୁ ଅନ୍ୟତମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।

Share