ଖୋଲିଲା ଓଲି ରାଇଜ

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। କଟକ ବାରବାଟୀ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟନୀ ଉତ୍ସବ ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ଆରମ୍ଭ ହେବ। ଏହାପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳ ସହ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଉଲ୍ଲାସ…ଉତ୍ସାହ…ଉତ୍ସବର ମହାପର୍ବ। ଆଉ ସର୍ବସାଧାରଣଙ୍କ ପାଇଁ ଖୋଲିଛି ‘ଓଲି ରାଇଜ’। ହକି ବିଶ୍ୱକପ୍‌ର ମାସ୍କଟ ଓଲିକୁ ନେଇ ଭଳିକି ଭଳି ଆଲୋକମାଳା, କଳାକୃତି, ପୋଷ୍ଟରରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ। ବିଶ୍ୱକପ୍‌ ହକି ଟ୍ରଫିଠାରୁ ଆରମ୍ଭ କରି ହରିଣ, ଷ୍ଟାର ଭଳି ବିଭିନ୍ନ ଆକୃତିର ରଙ୍ଗିନ ଲାଇଟ୍‌ରେ ଝଲସୁଛି ଓଲି ରାଇଜ। ଷ୍ଟାଡିୟମ୍‌ର ବିଭିନ୍ନ ଗେଟ୍‌ରୁ ଷ୍ଟେଜ୍‌ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଗଛକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଛି। ଏହା ଭିତରେ ସମସ୍ତଙ୍କ ଆକର୍ଷଣ ସାଜୁଛି, ହକି ବିଶ୍ୱକପ୍‌ର ବାର୍ତ୍ତା ଦେଉଛି ଚଳନ୍ତି ଓଲି।
ଅପରାହ୍ନରୁ ଓଲି ରାଇଜକୁ ଲୋକଙ୍କ ଆଗମନ ଆରମ୍ଭ ହୋଇଥିଲା। ଓଲି ସହ ମିଶିବାର ସୁଯୋଗ ପାଇଥିଲେ ଲୋକେ। ଏଥିସହ ଆଖି ଖୋସି ହୋଇଗଲା ଭଳି ଆଲୋକ ଓ ସମସ୍ତ ସାଜସଜ୍ଜାକୁ ଦେଖି ସେମାନେ ଖୁବ୍‌ ପ୍ରଶଂସା କରିଥିଲେ। ଫ୍ୟାନ୍ସ କର୍ନର, ଓଲି ସହ ସେଲ୍‌ଫିର ମଜା ଉଠାଇଥିଲେ। ସେହିଭଳି ମାହୋଲକୁ ଆହୁରି ଉତ୍ସାହିତ କରିଥିଲା ହକି ସଙ୍ଗୀତ ‘ହକି ହେ ଦିଲ୍‌ ମେରା’। ଗୀତର ତାଳେ ତାଳେ ନୃତ୍ୟ କରିଥିଲେ ଯୁବପିଢ଼ି। ଏହା ସାଙ୍ଗକୁ ଓଲି ସହିତ କିଛି ସମୟ ବିତାଇବାର ମଜା ମଧ୍ୟ ନେଇଥିଲେ। ଆଗକୁ ଓଲି ରାଇଜରେ ସ୍ବାଦିଷ୍ଟ ଖାଦ୍ୟର ଭରପୂର ମଜା ନେଇ ପାରିବେ ସହରବାସୀ, ଖେଳପ୍ରେମୀ। ଏହାସାଙ୍ଗକୁ ଭରପୂର ମନୋରଞ୍ଜନର ମଧ୍ୟ ଲାଭ ଉଠାଇବେ। ହକି ମ୍ୟାଚ୍‌ ଦିନଗୁଡିକ କେବଳ ଟିକେଟଧାରୀଙ୍କ ପାଇଁ ଷ୍ଟାଡିୟମ ଖୋଲା ରହିବାକୁ ଥିବାବେଳେ ଅନ୍ୟ ଦିନଗୁଡିକ ଯଥା ଜାନୁୟାରୀ ୧୨, ୧୫, ୧୮,୨୦,୨୧,୨୬ ଓ ୨୮ ତାରିଖରେ ଅପରାହ୍ନ ୩ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଲୋକେ ବିନା ମୂଲ୍ୟରେ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହ ଓଲି ରାଇଜକୁ ବୁଲି ଅନେକ ଅଭୁଲା ଅନୁଭୂତି ସାଉଣ୍ଟିପାରିବେ।