କାଠମାଣ୍ଡୁ,୫ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶାସକ ଦଳ ଏନ୍ସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ବସିବାର ଥିଲା। ତେବେ ମତଭେଦ ଦୂର କରିବା ନିମନ୍ତେ ନେତାମାନଙ୍କୁ ଅଧିକ ସମୟ ଦେବା ପାଇଁ ଉକ୍ତ ବୈଠକକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଓଲିଙ୍କ କାର୍ଯ୍ୟଶୈଳୀ ଓ ଭାରତ ବିରୋଧୀ ମନ୍ତବ୍ୟକୁ ଦଳ ଭିତରେ ଜୋର୍ଦାର ବିରୋଧ କରାଯିବା ସହ ତାଙ୍କର ଇସ୍ତଫା ଦାବି କରାଯାଇଛି। ଦଳକୁ ବିଭାଜନରୁ ରୋକିବା ପାଇଁ ଶୁକ୍ରବାର ଏନ୍ସିପି କାର୍ଯ୍ୟକାରୀ ସଭାପତି ପ୍ରଚଣ୍ଡଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଦୁଇନେତା ଦଳର ଏକତା ଓ ବର୍ତ୍ତମାନର ସଙ୍କଟରୁ ଦଳକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିଥିଲେ। ତେବେ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା।