ଦୃଷ୍ଟିଶକ୍ତିଜନିତ କୌଣସି ସମସ୍ୟାର ଲକ୍ଷଣ ବିଷୟରେ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରିବା ଠିକ୍ ନୁହେଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ ା ଏପରି କି ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏହାର କାରଣ ବିଷୟରେ ଅବଗତ ହେବା ମାତ୍ରେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ତେବେ ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପଛରେ ଅଲିଭ ତେଲର ଭୂମିକା ରହିଛି। ଏପରି ରୋଚକ ତଥ୍ୟ ବିଷୟରେ ସୂଚନା ଦେଇଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ‘ଦୃଷ୍ଟିଶକ୍ତି ଓ ଅଲିଭ ତେଲ’ ଶୀର୍ଷକ ବିଷୟ ଉପରେ ଗବେଷଣା କରି ସେମାନେ ଏ ବିଷୟରେ ଜାଣିପାରିଛନ୍ତି। ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ଭିଟାମିନ୍ ‘ଏ’ ସାହାଯ୍ୟ କରିଥାଏ। ଅନ୍ୟପକ୍ଷରେ ଅଲିଭ ତେଲ ହେଉଛି ଭିଟାମିନ୍ ‘ଏ’ର ଅନ୍ୟତମ ଉତ୍ସ। ତେବେ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଲିଭ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ତାହା ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ ବୋଲି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।