କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ଅଗରନାସୀ, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ କଇଁଛମାନେ ଅଣ୍ଡାଦାନ ପରେ ସମୁଦ୍ରକୁ ଫେରି ଯାଇଥାନ୍ତି। ଗୋଟିଏ ଅଲିଭ ରିଡ୍ଲେ ୮୦ରୁ ୧୨୦ ପର୍ଯ୍ୟନ୍ତ ବାଲିରେ ଅଣ୍ଡାଦାନ କରିଥାନ୍ତି। ତେବେ ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ ରିଡ୍ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ପୂର୍ଣ୍ଣ ଜୀବନ ବଞ୍ଚତ୍ଥାନ୍ତି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି। ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଓ ବନ୍ୟ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏହି ବିରଳ କଇଁଛ ହ୍ରାସ ପାଉଥିବା ସେ ଦର୍ଶାଇଛନ୍ତି।
ସୂଚନା ମୁତାବକ, ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍ଲେ ଓ ଅଲିଭ ରିଡ୍ଲେ ଆଦି ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। କେତେକ କ୍ଷେତ୍ରରେ ସମୁଦ୍ରରେ ଏମାନଙ୍କ ଆସିବା ସମୟରେ ମୃତ୍ୟୁ ହେଉଥିବା ବେଳେ ଅଣ୍ଡାରୁ ଶାବକ ହେବା ପୂର୍ବରୁ ବିପର୍ଯ୍ୟୟର ଶିକାର ହେବାକୁ ପଡ଼େ। ଅଣ୍ଡା ଓ ଶାବକକୁ କୁକୁର, କଙ୍କଡା, ପକ୍ଷୀ, ସରୀସୃପ ଓ ବନ୍ୟଜନ୍ତୁଙ୍କ ବିପଦ ଅଛି। ଶାବକମାନେ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ରାତିର ସାମାନ୍ୟ ଆଲୁଅରେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର କେତେକ ଅଞ୍ଚଳରେ ଗାଡ଼ିର ଉଜ୍ଜ୍ୱଳ ଆଲୋକ ପରି ଅନ୍ୟ ଆଲୋକ ଉତ୍ସକୁ ଅନୁସରଣ କରି ସମୁଦ୍ରର ବିପରୀତ ମୁଖା ହେବା ନଜିର ଅଛି। ସେହିପରି ସମୁଦ୍ର କୂଳରେ ପଡିଥିବା ଆବର୍ଜନା ଶାବକକୁ ଫେରିବାରେ ବାଧା ଦେଇଥାଏ। ନିଷିଦ୍ଧାଞ୍ଚଳରେ ପଶି କଇଁଛ ଅଣ୍ଡା ଓ ଶାବକକୁ କେତେଜଣ ବ୍ୟକ୍ତି ଚୋରାଇ ନେଇ ବ୍ୟବସାୟ କରିଥାନ୍ତି। ସମୁଦ୍ରରେ ପହଞ୍ଚତ୍ବା ପରେ ମଧ୍ୟ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି। ମତ୍ସ୍ୟ ବ୍ୟବସାୟୀଙ୍କ ଗିଲନେଟର, ଟ୍ରଲର ମାଡ, ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ଅନ୍ୟ ବର୍ଜବସ୍ତୁର ଆହାର, ଭାସମାନ ତୈଳ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରେ। ସମୁଦ୍ର କୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, ଜାଲରେ ଟିଇଡି (ଟର୍ଟଲ ଏକ୍ସକ୍ଲ୍ୟଡର ଡିଭାଇସ) ଲଗାଇବା, ଅଣ୍ଡାଦାନ ସମୟରେ କୃତ୍ରିମ ଆଲୋକ ବ୍ୟବହାର ନ କଲେ ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ରେଞ୍ଜ ଅଧିକାରୀ ଭୋଇ ସୂଚନା ଦେଇଛନ୍ତି। ପରିବେଶବିତ୍ ହେମନ୍ତ କୁମାର ରାଉତ କହିଛନ୍ତି, ସ୍ଥାନୀୟ ବନବିଭାଗର କର୍ମଚାରୀ ଅଭାବ ସହ ବେଆଇନ ମାଛ ଧରା କଇଁଛ ସୁରକ୍ଷା ପାଇଁ ବାଧକ ସାଜିଛି। ଏଥିସହ ତଟବର୍ତ୍ତୀ ଅଞ୍ଚଳରେ ବଢୁଥିବା ଚିଙ୍ଗୁଡି ଘେରିରୁ ବାହାରୁ ଥିବା ବିଷାକ୍ତ ରାସାୟନିକ ଦ୍ରବ୍ୟ କଇଁଛଙ୍କ ମୃତ୍ୟୁର କାରଣ ହୋଇଛି। ପରିବେଶବିତ୍ ସେକ୍ ଚାନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏହି ବିରଳ କଇଁଛଙ୍କ ସମୂହ ନଷ୍ଟର କାରଣ ହେବ। ଜୀବଜନ୍ତୁଙ୍କୁ ଭଲ ପାଇବା ସହ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଛନ୍ତି।