ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟସ୍ଥ ରୁଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦,୫୩୩ ସାମୁଦ୍ରିକ କଇଁଛ ସମୁଦ୍ରର ନୀଳ ଜଳରାଶିରୁ ଉଠିଆସି ବେଳାଭୂମିର ବାଲୁକା ରାଶିରେ ଗଣଅଣ୍ଡାଦାନ କରିଥିବା ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ଶନିବାର ବିଳମ୍ବିତ ରାତ୍ରରୁ ରବିବାର ସକାଳ ୮ଟା ମଧ୍ୟରେ ଗୋଖରକୁଦା ଗ୍ରାମଠାରୁ ପୋଡମ୍‌ପେଟା ଗ୍ରାମ ରୁଷିକୂଲ୍ୟା ନଦୀ ଓ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଆୟର୍ଲାଣ୍ଡ ମଧ୍ୟରେ ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଡିଏଫ୍‌ଓ ନାୟକଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ବିଭାଗ ଟିମ୍‌ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ଗଣତି ବ୍ୟବସ୍ଥା କରାଯାଉଛି। କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ବେଳାଭୂମିରେ ୫୦ଟି ସେଗ୍‌ମେଣ୍ଟ କରାଯାଇଛି। ଗୋଟିଏ ଗୋଟିଏ ସେଗ୍‌ମେଣ୍ଟରେ ଦୁଇଜଣ ଲେଖାଏ ବ୍ୟକ୍ତି ଏପରିକି ୧୦୦ ବ୍ୟକ୍ତିଙ୍କୁ ମୁତୟନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମ ଜିଲାର ରୁଷିକୂଲ୍ୟା ମୁହାଣ, କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକର ଗହୀରମଥା ଓ ପୁରୀ ଜିଲାର ଦେବୀ ମୁହାଣ ଏହି ତିନୋଟି ସ୍ଥାନକୁ ସେମାନଙ୍କ ପ୍ରଜଜନ ସ୍ଥଳ ଭାବେ ବାଛି ନେଇଛନ୍ତି।

Share