ରାଜନଗର, ୧୨।୩(ଡି.ଏନ୍.ଏ.): ବିରଳ ଅଲିଭ୍ ରିଡ୍ଲେଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ୮୮ ହଜାର, ୧୦ ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭ୍ ରିଡ୍ଲେ ମା’ କଇଁଛ କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ଼ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉ ନ ଥିବାରୁ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିଲେ। ଗତ ୯ ତାରିଖଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୧୪ ହଜାର ୫୮ ମା’ ଅଲିଭ୍ ରିଡ୍ଲେ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ହଠାତ୍ ଦଳ ଦଳ ହୋଇ ମା’ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକାଶଯ୍ୟାକୁ ଉଠିଆସି ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଶନିବାର ଭୋର୍ ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା। ୨ ଦିନରେ ୩ ଲକ୍ଷ ୨ ହଜାର ୦୫୮ କଇଁଛ ସମୂହଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ୨ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ ମା’ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ସମୂହଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି।
ମା’ କଇଁଛ ବେଳାଭୂମି ବାଲିରେ ପଛଗୋଡ଼ରେ ୧ରୁ ଦେଢ଼ଫୁଟ ଗଭୀରର ଗାତ ଖୋଳିଥାଏ। ଗାତ ଖୋଳିବା ପରେ ମା’ କଇଁଛ ଅଣ୍ଡା ଦେଇଥାଏ। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଗଳିବା ସମୟରେ ଫାଟି ନ ଥାଏ। ଅଣ୍ଡା ଦେଇସାରିବା ପରେ ମା’ କଇଁଛ ଗାତକୁ ବାଲି ଘୋଡ଼ାଇ ଦେଇ ସମୁଦ୍ରକୁ ଫେରିଯାଏ। ଅଣ୍ଡାଗୁଡ଼ିକରୁ ୪୫ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ଦିନଠାରୁ ଗହୀରମଥାର ନାସୀ ଦ୍ୱୀପଠାରୁ ଅଳ୍ପଦୂରରେ ଥିବା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ରାଜନଗର ଡିଭିଜନ ବନ ବିଭାଗ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି। ୩ କିମି ଯାଏ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ଗହୀରମଥା ରେଞ୍ଜ୍ ଅଫିସର ମାନସ କୁମାର ଦାସ ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। କୂଳରେ କଇଁଛ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହେବା ନେଇ ଆଶା ପ୍ରକାଶ ପାଇଛି।