ରାଜନଗର,୧୧ା୩(ଡି.ଏନ.ଏ.):ବିରଳ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ କୁହାଯାଉଥିତ୍ବା ଗହୀରମଥାର ନାସୀ-୧ ଓ ନାସୀ-୨ରେ ମଙ୍ଗଳବାର ସନ୍ଧ୍ୟାରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବିତ ରାତି ସୁଦ୍ଧା ପ୍ରାୟ ୧୧ଶହ ଅଲିଭରିଡ୍ଲେ କଇଁଛ ଅଣ୍ଡାଦାନ କରିଛନ୍ତି। ମାଆ କଇଁଛମାନେ ବେଳାଭୂମିକୁ ଉଠିବା ପରେ ବାଲିରେ ୧ଫୁଟରୁ ଦେଢ଼ଫୁଟ ଗାତକରି ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସମୁଦ୍ର କୂଳଠାରୁ ୨ କିମି ମଧ୍ୟରେ ଲକ୍ଷାଧିକ କଇଁଛ ଭିଡ଼ ଜମାଇଛନ୍ତି। ଖୁବ୍ଶୀଘ୍ର ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୧୯୭୫ ମସିହାରୁ ଗହୀରମଥା ଉପକୂଳର ୧୦କିମି ବାଲୁକା ଶଯ୍ୟାରେ ଏହି ବିରଳ ସାମୁଦ୍ରିକ କଇଁଛମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ। ଏହାପରେ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କିମି ଯାଏ ଟ୍ରଲରରେ ମାଛ ମାରିବା ନିଷେଧ କରାଯାଇଛି।