ରାଜନଗର, ୧୯ା୧୨(ଡି.ଏନ.ଏ.):ହିନ୍ଦୁ ଶାସ୍ତ୍ରରେ ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ସ୍ଥାନ ଦିଆଯାଇଛି। ସମୁଦ୍ର ମନ୍ଥନ ସମୟରେ କଇଁଛଙ୍କ ପିଠିରେ ମନ୍ଦରାଚଳ ପର୍ବତକୁ ରଖାଯାଇ ଘୂର୍ଣ୍ଣନ କରିବାବେଳେ ବହୁ ଅଲୌକିକ ବସ୍ତୁ, ପଦାର୍ଥ ମିଳିଥିବା କଥା ପୁରାଣରେ ବର୍ଣ୍ଣିତ। ଅନାଦି କାଳରୁ ସମୁଦ୍ର ସହିତ କେନ୍ଦ୍ରାପଡ଼ା ଜିଲା ଗହରୀମଥା ନିଷିଦ୍ଧ ଇଲାକାର ରହସ୍ୟମୟୀ ଜୀବ ଅଲିଭରିଡ୍ଲେ କଇଁଛଙ୍କ କର୍ମଭୂମି ଏବେ ବି ରହସ୍ୟାବୃତ୍ତ ହୋଇରହିଛି। ନବେ ଦଶକରେ ଅଲିଭରିଡ୍ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ଭାରତର ବିଶିଷ୍ଟ କଇଁଛ ବିଶାରଦ ଡ. ଚନ୍ଦ୍ରଶେଖର କର ସାତଭାୟା ବେଳାଭୂମିରେ ଅଣ୍ଡା ଦେବାକୁ ଆସିଥିବା ଅଲିଭରିଡ୍ଲେ କଇଁଛଙ୍କ ପିଠିରେ ପ୍ରଥମେ ବେଲୁନ ବାନ୍ଧି ଛାଡିଥିଲେ। କିନ୍ତୁ ବେଲୁନଗୁଡିକ ଫାଟିଯିବାରୁ ପରବର୍ତ୍ତୀ ସମୟରେ ଗବେଷକ ଡ. କର ଦୁଇଟି କଇଁଛ ଦେବୀ ଓ ଚନ୍ଦ୍ର ନାମରେ ନାମିତ କରି ତମ୍ବା ପ୍ଲେଟ ସହ ଟ୍ରାନ୍ସମିଟର ଖଞ୍ଜି ସମୁଦ୍ରକୁ ଛାଡିଥିଲେ। ସାଟେଲାଇଟ୍ ମାଧ୍ୟମରେ କଇଁଛଙ୍କ ଗତିବିଧି ଜାଣିବାକୁ ପ୍ରୟାସ କରିଥିଲେ ମଧ୍ୟ ଏହି ଜୀବଙ୍କ ଠିକଣା ପାଇବା ପାଇଁ ଲୋକଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି। ହେଲେ ଏବେ ଗହୀରମଥା ନିଷିଦ୍ଧାଞ୍ଚଳ ଜଳରାଶିରେ ଅଲିଭ୍ରିଡ୍ଲେଙ୍କ ମିଳନ ପର୍ବ ଚାଲିଛି। ମାଛ ମାରିବାକୁ ସମୁଦ୍ରକୁ ଯାଉଥିବା ଟ୍ରଲର ମାଡ ଓ ଜାଲରେ ଅଲିଭରିଡ୍ଲେ କଇଁଛଙ୍କ ମୃତ୍ୟୁ ଘଟୁଛି। ଗହରୀମଥା ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ ଏବେ ସ୍ବର୍ଗଦ୍ୱାର ପାଲଟିଛି।
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ ଗହୀରମଥାକୁ ସ୍ଥାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍. ଆର. ବଷ୍ଟାର୍ଡ। ୧୯୭୫ରେ ଡ. ବଷ୍ଟାର୍ଡ ଭିତରକନିକାରେ ପହଞ୍ଚତ୍ ବିଶ୍ୱର ପ୍ରଥମ କୃତ୍ରିମ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ଏହି ସମୟରେ ଗହୀରମଥା ପାଦଦେଶରେ ଥିବା ବାବୁବାଲି ଦ୍ୱୀପରେ ଲକ୍ଷାଧିକ ଅଲିଭରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଦେଖି ସେ ବିସ୍ମିତ ହୋଇଥିଲେ। ଡ. ବଷ୍ଟାର୍ଡ ବିଶ୍ୱରେ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳକୁ ନୂତନ ଦିଗନ୍ତ ଦେଇଥିଲେ। ସେବେଠୁ ଅଲିଭରିଡ୍ଲେ କଇଁଛଙ୍କ ଉପରେ ଗବେଷଣା କରାଯାଉଛି। ଅଲିଭରିଡ୍ଲେ କଇଁଛଙ୍କ ଆଗମନ ଓ ଗହୀରମଥାରେ ସେମାନଙ୍କ ଲୀଳାଖେଳା ସାମୁଦ୍ରିକ ପରିବେଶକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି।
୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ବର୍ଷତମାମ ଏଠାରେ ସମୁଦ୍ର ଉପକୂଳଠାରୁ ୨୦ କିମି ଯାଏ ଟ୍ରଲର ସାହାଯ୍ୟରେ ମାଛଧରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରତିବର୍ଷ ନଭେମ୍ବର ୧ ଠାରୁ ମେ ୩୧ ଯାଏ ୭ ମାସ ଧରି ଧାମରାଠାରୁ ଦେବୀ ମୁହାଣ ଯାଏ ୧୨୦ କି.ମି. ଉପକୂଳରେ ମାଛ ଧରା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଉଛି। ୭ ମାସ ମଧ୍ୟରେ ଅଲିଭରିଡ୍ଲେ କଇଁଛଙ୍କ ପ୍ରଜନନ ଓ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଥାଏ। କଇଁଛମାନଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ୨୦୦୨ଠାରୁ ପଦକ୍ଷେପ ନିଆଯାଉଛି। ବଙ୍ଗୋପସାଗର କୂଳଠାରୁ ୨୦କିମି ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଏବେ ଅଲିଭରିଡ୍ଲେ କଇଁଛଙ୍କ ମିଳନ ଦେଖିବାକୁ ମିଳୁଛି। କିନ୍ତୁ ମା’ କଇଁଛ ଅନ୍ତଃସତ୍ତ୍ୱା ହେବା ପରେ ଅଣ୍ଡା ଦେବା ପାଇଁ ବେଳାଭୂମିକୁ ଆସିବା ବାଟରେ ଟ୍ରଲର ମାଡରେ ସବୁଦିନ ପାଇଁ ଆଖି ବୁଜି ଦେଉଛନ୍ତି। ତେବେ ବହୁସଂଖ୍ୟାରେ ମା’ କଇଁଛ ପ୍ରତିକୂଳ ପରିବେଶରେ ବେଳାଭୂମିରେ ଆସି ବାଲୁକା ରାଶିରେ ଗାତ ଖୋଳି ଅଣ୍ଡା ଦେବାର ଅଛି। ଅଣ୍ଡାଦାନ ପରେ ସେମାନେ ୬୦ ଦିନ ପର୍ଯ୍ୟନ୍ତ ଅଣ୍ଡାରୁ ଶାବକ ଫୁଟିବା ପର୍ଯ୍ୟନ୍ତ ସମୁଦ୍ରରେ ଅପେକ୍ଷା କରିଥାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ମଧ୍ୟକୁ ଯିବା ସମୟରେ ଶାବକମାନେ କୁଆ, ବିଲୁଆଙ୍କ ସମେତ ଅନ୍ୟ ଜୀବଜନ୍ତୁଙ୍କ ଗର୍ଭସ୍ଥ ହୋଇଥାନ୍ତି। ବାସ୍ତବରେ ଅନ୍ତୁଡିଶାଳରୁ ମା’ କୋଳକୁ ଫେରିବା ପୂର୍ବରୁ ସେମାନେ ସ୍ବର୍ଗଦାରକୁ ଦେଖିଛନ୍ତି।
ଚଳିତ କଇଁଛ ଋତୁରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାସୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବଙ୍ଗୋପସାଗର ଗଭୀର ନୀଳ ଜଳରାଶିରେ ହଜାର ହଜାର ସଂଖ୍ୟାର ବିରଳ ଅଲିଭରିଡ୍ଲେ କଇଁଛଙ୍କ ଭିଡ ଜମିଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। କଇଁଛମାନେ ଗହୀରମଥାରେ ପହଞ୍ଚତ୍ ସାରିଥିବାରୁ ଏବର୍ଷ ଠିକ୍ ସମୟରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରିଛନ୍ତି ପରିବେଶପ୍ରେମୀ । ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରଲର ଚଳାଚଳ ଓ ମାଛ ମାରିବାକୁ ବନ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଶାସନପେଟା, ବତିଘର, ହାୱାଖାନ ଏବଂ ଡାଙ୍ଗମାଳଠାରେ ଉପକୂଳବର୍ତ୍ତୀ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ କଇଁଛ ସୁରକ୍ଷା କ୍ଷେତ୍ରରେ ସହଯୋଗ କରିବାକୁ ସଚେତନତା କରାଯାଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କୁ ପଚାରିବାରେ ଏବେ ଅଲିଭରିଡ୍ଲେ କଇଁଛ ମିଳନ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ସୁରକ୍ଷା ଦାୟିତ୍ୱ ଦିଗରେ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଉଛି। କଟକଣାଠାରୁ ଏ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ମଧ୍ୟରୁ ୧୫ଟି ଟ୍ରଲର ଜବତ କରାଯାଇଛି। ଏଥିସହ ଶହେରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।