Categories: ଖେଳ

ଇଂଲଣ୍ଡର ଏହି ଖେଳାଳିଙ୍କ ଖୁଲାସା: ପ୍ରଥମ ଟେଷ୍ଟ ସମୟରେ କୋହଲି ଚେତାଇ କହିଥିଲେ…

ଲଣ୍ଡନ,୩।୪: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଓଲି ପୋପ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଚାରି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସମୟରେ କୋହଲି ତାଙ୍କୁ ଚେତାଇ ଏହାପରେ ଆଉ ଫ୍ଲାଟ ପିଚ୍‌ ଉପଲବ୍ଧ ହେବ ନାହିଁ କହିଥିଲେ। ଏକ ସାକ୍ଷାତକାରରେ ପୋପ୍‌ କହିଛନ୍ତି, ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ପିଚ୍‌ ବହୁତ ସ୍ପିନ୍‌ ହେବାରେ ଲାଗିଥିଲା। ମୁଁ ଅପରପାର୍ଶ୍ୱରେ ଛିଡ଼ା ହୋଇଥିଲି। ଏହି ସମୟରେ କୋହଲି ଆସି ଏହା ଶେଷ ଫ୍ଲାଟ ପିଚ୍‌ ବୋଲି କହିଥିଲେ। ଏଣୁ ବ୍ୟାଟିଂ ଦୃଷ୍ଟିରୁ ସିରିଜ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଛି ବୋଲି ଅନୁଭବ କରିଥିଲି। ଜୋ ରୁଟ୍‌ ଏବଂ ବେନ୍‌ ଷ୍ଟୋକ୍ସଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ମଧ୍ୟ ଏହାକୁ ସବୁଠାରୁ କଷ୍ଟକର ପରିସ୍ଥିତି ବୋଲି କହିଥିଲେ। ଯଦି ସେଭଳି ଖେଳାଳି ଏହାକୁ ଗ୍ରହଣ କରୁଛନ୍ତି, ତେବେ ଏହା କେତେ କଷ୍ଟକର ତାହା ଅନ୍ୟମାନେ ବୁଝିପାରିବେ ବୋଲି ସେ କହିଛନ୍ତି। ଏବେ ସେ ବାୟୋବବଲ୍‌ରୁ ବାହାରିଛନ୍ତି। ଏହା ବେଶ୍‌ କଷ୍ଟସାଧ୍ୟ ଥିଲା। ବାହାରକୁ ଯିବା ଏବଂ କଫି ପିଇବା ସମ୍ଭବ ନ ଥିଲା। ଏବେ ସେଥିରୁ ବାହାରି କାଉଣ୍ଟି ଚାମ୍ପିଅନ୍‌ଶିପ୍‌ ଖେଳିବାକୁ ପ୍ରସ୍ତୁତ ହେଉଥିବା ସେ ମଧ୍ୟ କହିଛନ୍ତି।

Share