Categories: ଖେଳ

ଆକର୍ଷଣର କେନ୍ଦ୍ର ଓଲି ରାଇଜ

ରାଉରକେଲା ଅଫିସ,୧୭।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମଥର କରି ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେଉଛି। ଏହି ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଷ୍ଟାଡିୟମର ଦକ୍ଷିଣ ଷ୍ଟାଣ୍ଡ୍‌ରେ ଏକ ଓଲିସ୍‌ ଲ୍ୟାଣ୍ଡ (ଓଲି ରାଇଜ) ନିର୍ମାଣ କରାଯାଇଛି। ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ଓଲିସ୍‌ ଲ୍ୟାଣ୍ଡର ପ୍ରବେଶ ପଥରେ ଆଲୋକର ଏକ ୫ ଫୁଟ୍‌ର ହକି ବିଶ୍ୱକପ୍‌ ନିର୍ମାଣ କରାଯାଇଛି। ଏହାସହ ଭାରତୀୟ ଦଳର ସମସ୍ତ ହକି ତାରକାଙ୍କ ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ସେଲ୍‌ଫି ଜୋନ୍‌, ହକି ଖେଳର ବିଭିନ୍ନ ସାମଗ୍ରୀ ସାଙ୍ଗକୁ ହକି ଇଣ୍ଡିଆ ଟି-ଶାର୍ଟ ଭଳି ବିଭିନ୍ନ ଜିନିଷ ନିକଟରେ ଦର୍ଶକଙ୍କ ଭିଡ଼ ଜମୁଛି। ମ୍ୟାଚ୍‌ର ଦୁଇଘଣ୍ଟା ପୂର୍ବରୁ ଷ୍ଟାଡିୟମ ଫାଟକ ଖୋଲାଯାଉଛି। ଫଳରେ ଷ୍ଟାଡିୟମରେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଓ ପରେ ଦର୍ଶକମାନେ ଏହି ସ୍ଥାନରେ ଭିଡ଼ ଜମାଇବା ସହ ହକି ଖେଳର ତଥ୍ୟ ଓ ନିୟମ ଉପରେ ଅବଗତ ହେଉଛନ୍ତି। ବିଶ୍ୱକପ୍‌ ମାସ୍କଟ ଓଲି ବୁଲୁଥିବା ବେଳେ ଦର୍ଶକ ଓଲି ସହ ଫଟୋ ଉଠାଉଛନ୍ତି। ହକି ବିଶ୍ୱକପ୍‌କୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବିର୍ସା ମୁଣ୍ଡା ଷ୍ଟାଡିୟମ ପରିସରରେ ଏହାକୁ ନିର୍ମାଣ କରାଯାଇଛି। ଦର୍ଶକ ଭିଡ଼କୁ ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତିଦିନ ଏଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ହକି ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଉଛି।

Share