Categories: ଖେଳ

ଅଲିମ୍ପିକ୍ସ ପଦକର ରଙ୍ଗ ଛାଡିଗଲା, ସାଂଘାତିକ ଅଭିଯୋଗ ଆଣିଲେ ଆଥଲେଟ୍‌

ଓ୍ବାଶିଂଟନ୍‌,୧୧।୮: ପ୍ୟାରିସ ଅଲିମ୍ପିକ୍ସ ମେଡାଲକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ସପ୍ତାହକ ମଧ୍ୟରେ ରଙ୍ଗ ଛାଡି ଯାଉଛି। ସପ୍ତାହକ ମଧ୍ୟରେ ମେଡାଲର ରଙ୍ଗ ବଦଳି ଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଖେଳାଳି।ଆମେରିକାର ଆଥଲେଟ ନାଇଜା ହୁଷ୍ଟନ। ସେ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ତେବେ ତାଙ୍କୁ ମିଳିଥିବା ଏହି ବ୍ରୋଞ୍ଜ ମେଡାଲ ସପ୍ତାହକ ମଧ୍ୟରେ ରଙ୍ଗ ଛାଡିଯିବା ସହ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ତେବେ ଗୁରୁବାର ସ୍କେଟ ବୋର୍ଡ ଖେଳାଳି ନାଇଜା ଇନଷ୍ଟାଗ୍ରାମରେ ତାଙ୍କର ଖରାପ ହୋଇଯାଇଥିବା ବ୍ରୋଞ୍ଜ ପଦକର ଫଟୋ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛନ୍ତି। ଏଥିସହ ଏହି ପଦକର କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି, ଯେତେବେଳେ ଏହି ଅଲିମ୍ପିକ୍ସ ପଦକଗୁଡିକ ପୂରାପରି ନୂଆ ଥାଏ ସେତେବେଳେ ଭଲ ଦେଖାଯାଏ। କିନ୍ତୁ ଏଥିରେ ଝାଳ ଲାଗି ଯିବା ଓ ସାଙ୍ଗ ସାଥୀମାନେ ଛୁଇଁବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାର ଅସଲ କ୍ୱାଲିଟି ସାମ୍ନାକୁ ଆସେ।
ହଷ୍ଟନ ଶେୟାର କରିଥିବା ଭିଡିଓରେ ମେଡାଲର କ୍ୱାଲିଟି ନଷ୍ଟ ହୋଇଯାଇଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି। ତାଙ୍କ ମେଡାଲର ଉଭୟ ପାର୍ଶ୍ୱର ରଙ୍ଗ ବଦଳି ଯାଇଛି ଓ ନଷ୍ଟ ମଧ୍ୟ ହୋଇଯାଇଛି।

କହିରଖୁ ଯେ, ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଦିଆଯାଉଥିବା ପ୍ରତିଟି ପଦକ ବେଶ ନିଆରା। ଏହି ପଦକଗୁଡିକୁ ଏଫିଲ ଟାଓ୍ବାର ନିର୍ମାଣରେ ବ୍ୟବହୃତ ଲୁହା ଖଣ୍ଡ ବ୍ୟବହାର କରି ତିଆରି କରାଯାଇଛି।

Share