Categories: ଖେଳ

ଅଲିମ୍ପିକ ଆନ୍ଦୋଳନକୁ ଲୋକାଭିମୁଖୀ କରିବ କ୍ରିକେଟ

ମୁମ୍ବାଇ ୧୭ା୧୦: ଲସ୍‌ଆଞ୍ଜେଲସ ୨୦୨୮ ଅଲିମ୍ପିକ୍ସ ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ସ୍ବାଗତଯୋଗ୍ୟ। ଅଲିମ୍ପିକ ଆନ୍ଦୋଳନ ପାଇଁ ଏହା ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟା ନୀତା ଏମ୍‌. ଅମ୍ବାନି କହିଛନ୍ତି। ମୁମ୍ବାଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡ଼ା ଭାବରେ ଗ୍ରହଣ କରାଯାଇଛି। ଏଥିରେ ଆନନ୍ଦ ପ୍ରକାଶ କରି ନୀତା କହିଛନ୍ତି ଜଣେ ଭାରତୀୟ ଏବଂ କ୍ରିକେଟର ଜଣେ ପ୍ରଶଂସକ ଭାବେ ସେ ଖୁବ୍‌ ଆନନ୍ଦିତ। ଆଇଓସିର ଜଣେ ସଦସ୍ୟା ଭାବେ ସେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି। କ୍ରିକେଟ ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର ସ୍ଥାନ ପାଇଥିଲା। ସେତେବେଳେ ମାତ୍ର ଦୁଇଟି ଦଳ ଅଂଶଗ୍ରହଣ କରିଥିଲେ। କ୍ରିକେଟ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦର୍ଶକ ଦେଖୁଥିବା ଏକ ଖେଳ। କହିବା ବାହୁଲ୍ୟ କ୍ରିକେଟ ୧୪୦କୋଟି ଭାରତୀୟଙ୍କ ପାଇଁ ଆଇ ଏକ ଖେଳ ହୋଇ ରହିନାହିଁ ଏହା ଏକ ପ୍ରକାର ଧର୍ମରେ ପରିଣତ ହୋଇଯାଇଛି ବୋଲି ନୀତା କହିଛନ୍ତି। ଆଇଓସି ଅଧିବେଶନ ଭାରତରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେଉଛି। ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ନିଷ୍ପତ୍ତି ପୁଣି ଖେଳର ଲୋକପ୍ରିୟ ଦେଶରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ବିଶ୍ୱର ଅନ୍ୟ ଅଞ୍ଚଳରେ ଏହି ଖେଳ ପ୍ରତି ଆଦର ଓ ଆଗ୍ରହ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବରେ ଆଇଓସି ସଦସ୍ୟ ଥିବା ନୀତା ଏହି ଅବସରରେ ଯୁଗାନ୍ତକାରୀ ନିଷ୍ପତ୍ତିକୁ ନେଇ ଆଇଓସି ଏବଂ ଲସ୍‌ଆଞ୍ଜେଲ୍ସ ଗେମ୍ସର ଆୟୋଜକ କମିଟିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି।

Share