Categories: ଖେଳ

ଅଲିମ୍ପିକ ସ୍ପ୍ରିଣ୍ଟର ଟୋରୀଙ୍କ ଅକାଳ ମୃତ୍ୟୁ

ଓର୍ଲାଣ୍ଡୋ(ଯୁକ୍ତରାଷ୍ଟ୍ର ଆମେରିକା),୧୪ା୬: ପ୍ରସବଜନିତ ଜଟିଳତା ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ଚାମ୍ପିୟନ ସ୍ପ୍ରିଣ୍ଟର ଟୋରୀ ବୋଓ୍ବିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ବୋଓ୍ବି ୨୦୧୬ ରିଓ ଡି’ ଜେନିରୋ ଗେମ୍ସରେ ତିନୋଟି ପଦକ ଲାଭ କରିଥିଲେ। ଏକ ସୁରକ୍ଷିତ ବାସଭବନରେ ତାଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ସେ ୮ମାସର ଗର୍ଭବତୀ ଥିବା କୁହାଯାଉଛି। ବହୁ ଦିନ ହେଲା ତାଙ୍କର ଖୋଜ ଖବର ନ ଥିଲା। ତାଙ୍କ ନିକଟରେ ଏକ୍ଲାମ୍ପସିଆ ଓ ସ୍ବାଶ ପ୍ରକ୍ରିୟା ଜଟିଳତା ଦେଖାଦେଇଥିଲା। ଟୋରୀଙ୍କର ସ୍ବାଭାବିକ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଟୋରୀ ୨୦୧୬ ରିଓ ଅଲିମ୍ପିକ୍ସ ୧୦୦ ମିଟରରେ ରୌପ୍ୟ ଏବଂ ୨୦୦ରେ ବ୍ରୋଞ୍ଜ ଜିତିଥିଲେ। ପରେ ସେ ଟିଆନା ବାର୍ଟୋଲେଟା, ଆଲିସନ ଫେଲିକ୍ସ ଓ ଇଂଲିଶ ଗାର୍ଡନରଙ୍କ ସହ ୪x୧୦୦ ମିଟର ରିଲେରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଏହାର ବର୍ଷକ ପରେ ୨୦୧୭ରେ ସେ ଲଣ୍ଡନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ ମିଟର ରେସ୍‌ ଜିତିଥିଲେ। ୪x୧୦୦ ମିଟର ରିଲେ ଟିମ୍‌କୁ ସ୍ବର୍ଣ୍ଣ ପଦକ ଆଣିଦେବାରେ ସେ ସହାୟକ ହୋଇଥିଲେ।

Share