Categories: ଜାତୀୟ

ପୁଣି ଥରେ ଏନ୍‌ଡିଏରେ ସାମିଲ ହେଲେ ଓମ୍‌ ପ୍ରକାଶ ରାଜଭର

ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍‌ ଆଲାଏନ୍ସ(ଏନ୍‌ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି ମେଣ୍ଟରେ ସାମିଲ ହେବା ଘୋଷଣା କରିଛନ୍ତି।

ଏନେଇ ଅମିତ ଶାହା ଟୁଇଟ୍‌ କରି କହିଛନ୍ତି, ଓମ୍‌ ପ୍ରକାଶ ରାଜଭରଙ୍କ ସହ ଦିଲ୍ଲୀରେ ଭେଟ ହେଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱଧୀନ ଏନ୍‌ଡିଏ ମେଣ୍ଟ ସହ ଯୋଡ଼ି ହେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନ୍‌ଡିଏ ପରିବାକୁ ସ୍ବାଗତ କରୁଛି। ରାଜଭର ଆସିବା ପରେ ଉତ୍ତରପ୍ରଦେଶରେ ଏନ୍‌ଡିଏ ମଜଭୂତ ହେବ। ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ଦ୍ୱାରା କରାଯାଉଥିବା ପ୍ରୟାସ ଅଧିକ ଶକ୍ତି ପାଇବ।

ସେହିଭଳି ଓମ୍‌ ପ୍ରକାଶ କହିଛନ୍ତି, ଆମ ଦଳ ଏବଂ ଭାଜପା ଆସନ୍ତା ୨୦୨୪ ନିର୍ବାଚନ ଏକାଠି ଲଢ଼ିବାର ନିଷ୍ପତ୍ତି ନେଇଛି। ୧୪ରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲି। ବିଭିନ୍ନ ବିଷୟରେ କଥା ହେଲା। ଏବେ ଉଭୟ ଦଳ ମିଶିବା ପରେ ରାଜ୍ୟରେ ଏକ ବଡ଼ ଶକ୍ତି ଜନ୍ମନେବ। ଦେଶର ପ୍ରଧାନମନ୍ତ୍ରୀଙ୍କ ଯାହା ଚିନ୍ତାଧାରା ରହିଛି ତାହାକୁ ଆଗକୁ ବଢ଼ାଇବାରେ ସହାୟତା ମିଳିବ।

Share