ଓମ୍‌ ଶ୍ରୀ ପ୍ରଜାପତୟେ ନମଃ

ନୂଆ ଓଡ଼ିଆ ସିନେମା ‘ଓମ୍‌ ଶ୍ରୀ ପ୍ରଜାପତୟେ ନମଃ’ରେ ନିଜ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତା ସମ୍ବିତ। କାରଣ ଏଥିରେ ତାଙ୍କୁ ଏକ ଭିନ୍ନଧରଣର ଭୂମିକା ମିଳିଛି। କେବଳ ସେତିକି ନୁହେଁ, ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି କହନ୍ତି ସମ୍ବିତ। ଓମ୍‌ ଫିଲ୍ମସ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଶୁଭଲକ୍ଷ୍ମୀ ପଟ୍ଟନାୟକ। ଲଭ୍‌, ଇମୋଶନ ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ଗତିଶୀଳ କାହାଣୀଟିକୁ ରଚନା କରିଛନ୍ତି ଉମେଶ ପଟ୍ଟନାୟକ। ତାକୁ ଆଧାର କରି ଏହାର ସଂଳାପ ରଚନା କରିଛନ୍ତି ସୁନୀଲ। ଏହି ଫିଲ୍ମ ସମ୍ପର୍କରେ ସମ୍ବିତ କହନ୍ତି, ‘ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ସିନେମାଟି ବେଶ୍‌ ସୁନ୍ଦର ହୋଇଛି। ଦର୍ଶକ ଏଥିରୁ ଶତ ପ୍ରତିଶତ ମନୋରଞ୍ଜନ ପାଇବେ ବୋଲି ମୋର ଦୃଢ଼ ଆଶା ରହିଛି। ଅସଲ କଥା ହେଲା, ଏହି ଫିଲ୍ମରେ ମୋତେ ଏକ ନୂଆ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ।’ ଚିତ୍ରଟିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡ଼ିର ସ୍ବର ସଂଯୋଜକ ବୈଦନାଥ ଦାଶ। ଏଥିରେ ସମ୍ବିତଙ୍କ ନାୟିକା ସାଜିଛନ୍ତି କୁକିଜ୍‌। ଏମାନଙ୍କ ବ୍ୟତୀତ ଅସିତ ପତି, ପିଣ୍ଟୁ ନନ୍ଦ, ରାଜୀବ ମହାନ୍ତି, ତୃପ୍ତି ସିହ୍ନା, ଲୋପାମୁଦ୍ରା ଏବଂ ତାପସ ପାଢ଼ୀ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୀବ ଦ୍ୱିବେଦୀ।

Share