Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଏକାକୀ ଲଢ଼ିବା ଘୋଷଣା ପରେ: ଉମର ଅବଦୁଲ୍ଲାଙ୍କ ଆସିଲା ବଡ଼ ବୟାନ

ଶ୍ରୀନଗର,୧୫।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଜମ୍ମୁ କାଶ୍ମୀରରେ ଏକାକୀ ଲଢ଼ିବା ନେଇ ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଘୋଷଣା କରିଛନ୍ତି।

ସେହିପରି ଜମ୍ମୁ କଶ୍ମୀରରେ ଲୋକ ସଭା ସହ ବିଧାନସଭା ନିର୍ବାଚନକୁ ମିଳିତ ଭାବେ କରିବାକୁ ସେ ଦାବି କରିଛନ୍ତି। ତେବେ ଫାରୁଖଙ୍କ ବୟାନକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ତାଙ୍କ ପୁଅ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା। ଏବେ ମଧ୍ୟ ଏନ୍‌ସି ଇଣ୍ଡିଆ ମେଣ୍ଟରେ ରହିଥିବା ସେ କହିଛନ୍ତି।

କଂଗ୍ରେସ ସହ ଆସନ ବୁଝାମଣା ନେଇ ବିଳମ୍ବ ହୋଇଥିବା ସ୍ବୀକାର କରିବା ସହ ଏନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଜମ୍ମୁ କଶ୍ମୀର ଓ ଲଦାଖର ୬ ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟରେ ୩ଟି ଆସନରେ ଲଢ଼ିବା ନେଇ ଦାବି କରି ଆସୁଛି ଏନ୍‌ସି।

ସୂଚନାଯୋଗ୍ୟ, ପୂର୍ବରୁ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ (ଟିଏମ୍‌ସି) ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇଥିଲେ।

Share