Categories: ବାଣିଜ୍ୟ

ଓଏମ୍‌ସି ସମ୍ମାନିତ

ଭୁବନେଶ୍ୱର, ୧୮।୮: ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ନିକଟରେ ଆଉ ଏକ ରାଜସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଓଏମ୍‌ସିର ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ପାଇଁ ଏହି ପୁରସ୍କାର ଲାଭ କରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଏମ୍‌ସିକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଏମ୍‌ସିର ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ଲୋକ ସମ୍ପର୍କ ଅଧିକାରୀ ସନ୍ଦୀପ କୁମାର ସେଠୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀ ୨୬ ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନିଗମ ଅତି ଚିତ୍ତାକର୍ଷକ ଭାବେ ଏକ ପ୍ରଜ୍ଞାପନ ମେଢ ଉପସ୍ଥାପନ କରିଥିଲା। ଏହି ପ୍ରଜ୍ଞାପନ ମେଢ଼ ଓଏମ୍‌ସିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ନିଗମର ବିଭିନ୍ନ ପଦକ୍ଷେପଗୁଡିକୁ ପ୍ରଦର୍ଶନ କରାଯାଇଥିଲା। ଏପରିକି ଓଡ଼ିଶାର ବିକାଶରେ ଭାଗୀଦାରି ତଥା ନିଜର ସଷ୍ଟେନେବଲ ମାଇନିଂ ଓ ଭାରତୀୟ ଖଣିଜ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ତାରକା ମାନ୍ୟତା ଏବଂ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ କାର୍ଯ୍ୟକ୍ରମ ଆଦିକୁ ପ୍ରଦର୍ଶନ କରିଥିଲା। ନିଗମର ପ୍ରଭାବଶାଳୀ ଭୂମିକା ପାଇଁ ଜାତୀୟସ୍ତରର ସର୍ବୋଚ୍ଚ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର-୨୦୨୩’ ପାଇବାର ଗୌରବ ଆଦିକୁ ମଧ୍ୟ ନିଗମ ଉପସ୍ଥାପନ କରିଥିଲା। ସେହିପରି ଭାରତର ଅଗ୍ରଣୀ ଖଣି କମ୍ପାନୀଗୁଡ଼ିକ ମଧ୍ୟରୁ ଓଏମ୍‌ସି ଅନ୍ୟତମ ଓ ରାଜ୍ୟର ବିକାଶରେ ନିଜର ଭାଗୀଦାରି ଭୂମିକା ଗ୍ରହଣକରି ଗର୍ବିତ ମନେକରୁଛି।

Share