ଓଏମ୍‌ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ

ଭୁବନେଶ୍ୱର,୬।୮ (ଅଭୟ ଦାଶ): ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନିକଟରେ ଏକ ଅଭିନବ ଅଭିଯାନ ‘ସମ୍ପୂର୍ଣ୍ଣ ପରିମଳ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଓଏମ୍‌ସି ଅଧୀନରେ ଥିବା ଖଣି ଅଞ୍ଚଳବର୍ତ୍ତୀ ଗାଁଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା ସାଙ୍ଗକୁ ଲୋକଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ବ୍ୟବହାରଗତ ପରିବର୍ତ୍ତନ ଆଣିବା ଲାଗି ନିଗମ ନିରନ୍ତର ପ୍ରୟାସ କରୁଛି। ଏପରିକି ନିଗମର ୫ଟି ଖଣି ଅଞ୍ଚଳରେ ଥିବା ପ୍ରାୟ ୩୮ ଗାଁରେ ଓଏମ୍‌ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ ବେଶ୍‌ ଲୋକପ୍ରିୟ ହୋଇପାରିଛି। ବିଶେଷକରି ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ନିଗମ ଖଣି ଅଞ୍ଚଳର ପ୍ରତ୍ୟେକ ଗାଁକୁ ବାହ୍ୟ ଶୌଚମୁକ୍ତ କରିବା ଦିଗରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ, ଜିଲା ପ୍ରଶାସନ ସହଯୋଗରେ ଏଭଳି ଏକ ମହତ ପ୍ରୟାସକୁ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲାର ସୁକୁରଙ୍ଗୀ କ୍ରୋମାଇଟ ଖଣି ଅଞ୍ଚଳରେ ଥିବା ୧୫ଟି ଗାଁରେ ଉକ୍ତ ଅଭିଯାନର ଆରମ୍ଭ ସହ ୨୫୭୭ ନୂତନ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ୩୦୮ ଶୌଚାଳୟର ମରାମତି କରାଯାଇଥିଲା। ପରବର୍ତ୍ତୀ ସମୟରେ ବଳକା ୨୩ଟି ଗାଁରେ ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ସେହିଭଳି ଦୈତାରୀ ଖଣି ଅଞ୍ଚଳ ଅଧୀନ ହରିଚନ୍ଦନପୁର ବ୍ଲକର ୮ଟି ଗାଁ, ଗନ୍ଧମାର୍ଦ୍ଦନ ଖଣି ଅଞ୍ଚଳରେ ଥିବା ବାଂଶପାଳ ବ୍ଲକର ୧୧ଟି ଗାଁ ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳ ଅଧୀନ ଲହୁଣିପଡ଼ା ବ୍ଲକରେ ଥିବା ୪ଟି ଗାଁକୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଉପରୋକ୍ତ ଗାଁଗୁଡିକରେ ୨୪୨୨ଟି ଶୌଚାଳୟ ନିର୍ମାଣ କରାଯାଇଛି। ଏପରିକି ଉକ୍ତ ଅଞ୍ଚଳରେ ସ୍ବଚ୍ଛତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କ ଜୀବନ ଧାରଣର ମାନରେ ମଧ୍ୟ ଉନ୍ନତି ଆସିଛି। ଖଣି ଅଞ୍ଚଳରେ ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ଆରମ୍ଭ କରିବା ପୂର୍ବରୁ ଓଏମ୍‌ସି ପକ୍ଷରୁ ଏକ ସର୍ଭେ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ପରିମଳର ସ୍ଥିତି ସମ୍ପର୍କରେ ଯାଞ୍ଚ କରାଯାଇଥିଲା।

Share