ଓମିକ୍ରନ୍‌ର ଷ୍ଟିଲ୍‌ଥ ଭାରିଆଣ୍ଟ୍‌, ଭାରତ ଉପରେ କେତେ ବିପଦ ?…

ନୂଆଦିଲ୍ଲୀ, ୧୬।୩ : ତିନିବର୍ଷ ପରେ ମଧ୍ୟ କରୋନାର ଭୟ ମନରୁ ଯାଇନି। ଏବେ ପୁଣିଥରେ କରୋନା ଆତଙ୍କ ବଢ଼ିବାରେ ଆରମ୍ଭ ହୋଇଛି। ଓମିକ୍ରନ୍‌ର ନୂଆ ଭାରିଆଣ୍ଟ୍‌ ଷ୍ଟିଲ୍‌ଥ ଓମିକ୍ରନ୍‌ର ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ବିଏ.୨ ଭାରିଆଣ୍ଟ ମଧ୍ୟ କୁହାଯାଉଛି।ସମଗ୍ର ବିଶ୍ୱରେ ଦ୍ରୁତ ବେଗରେ ଏହା ବ୍ୟାପିବାରେ ଲାଗିଛି। ବିଏ.୨ ଭାରିଆଣ୍ଟ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏହି ବିଏ.୨ ଭାରିଆଣ୍ଟ ଭାରତକୁ ଅସୁବିଧାରେ ପକାଇବ କି? ବିଶେଷଜ୍ଞ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ କରୋନାର ତୃତୀୟ ଲହର କମି ଚାଲିଛି। କୌଣସି ନୂଆ ଭାରିଆଣ୍ଟ୍‌ ମଧ୍ୟ ଚିହ୍ନଟ ହୋଇ ନାହିଁ। ତେବେ କେତେକ ଏହାକୁ ଝଡ଼ ପୂର୍ବର ନୀରବତା ବୋଲି କହିଛନ୍ତି।

ବିଏ.୨ ହେଉଛି ଓମିକ୍ରନର ପଞ୍ଚମ ସ୍ବରୂପ।, ଯାହା ଗତ ବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବିଏ.୨ ଭାରିଆଣ୍ଟ କେବଳ ଚାଇନାରେ ରହିବ ନାହିଁ। ଏହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଯିବ। ଯଦିଓ ଭାରତୀୟ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବିଏ.୨ ଭାରିଆଣ୍ଟ ଭାରତରେ ଅସୁବିଧା ସୃଷ୍ଟି କରିବ ନାହିଁ।

କୋଭିଡ-୧୯ ଟାସ୍କ ଗ୍ରୁପ୍‌ର ମୁଖ୍ୟ ଡାକ୍ତର ନରେନ୍ଦ୍ର କୁମାର ଆରୋରା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଭାରତରେ ବିଏ.୨ ଭାରିଆଣ୍ଟ୍‌ର ସଂକ୍ରମଣ ସଙ୍କଟ ସୃଷ୍ଟି କରିବା ସମ୍ଭାବନା ବହୁତ କମ । ସେ କହିଛନ୍ତି ଯେ ଭାରତରେ ତୃତୀୟ ଲହର ସମୟରେ କରୋନା କାରଣର ବିଏ.୨ ରେ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ଥିଲା।

ଆଇଆଇଟି କାନପୁର ପକ୍ଷରୁ ହୋଇଥିବା ଅଧ୍ୟୟନରେ ଜୁନ ୨୨ ସୁଦ୍ଧା ଚତୁର୍ଥ ଲହରର ଆଶଙ୍କା ଠିକ ନୁହେଁ।
କୋଚିର ଆଇଏମଏ ରିସର୍ଚ୍ଚ ସେଲର ମୁଖ୍ୟ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି ଯେ ଭାରିଆଣ୍ଟ ଗୁଡ଼ିକ ଗଛର ଡାଳ ସହିତ ସମାନ।

ଯେପରି ଗଛର ନୂତନ ଶାଖାଗୁଡ଼ିକ ଡାଳରୁ ବାହାରୁଛି, ସେହିଭଳି କରୋନାର ନୂତନ ଭାରିଆଣ୍ଟ ମଧ୍ୟ ଆସିବ। ସେ କହିଛନ୍ତି ଯେ ବୟସ୍କମାନଙ୍କ ମଧ୍ୟରେ ଟିକାକରଣ କମ ଥିବାରୁ ଚାଇନାରେ ଏହି ଭାରିଆଣ୍ଟ୍‌ ଅଧିକ ବ୍ୟାପୁଛି।

ଭୁଲ ତଥ୍ୟ ଏବଂ ସଚେତନତା ଅଭାବରୁ ଚାଇନାର ବରିଷ୍ଠନାମଗରିକ ଓ ବୟସ୍କମାନେ ଟିକା ନେଇ ନାହାନ୍ତି। ତେବେ ଭାରତରେ ଟିକାକରଣ କରାଯାଉଛି। ତେଣୁ ବିଏ.୨ ଭାରିଆଣ୍ଟର ପ୍ରଭାବ ଭାରତ ଉପରେ ପଡ଼ିବାର ଆଶଙ୍କା କମ୍‌ ରହିଛି।

Share