ଓଟିଟିରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ର ଅନକଟ ଭର୍ସନ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ଓ ମାଇଁ ଗଡ ୨’ ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ। ଏହି ମୁଭି ୧୧ ଅଗଷ୍ଟରେ ସିନେମା ହଲରେ ରିଲିଜ ହୋଇଥିଲା। ସନ୍ନି ଦଓ୍ବେଲଙ୍କ ଗଦ୍ଦର ୨ ସହ ଟକ୍କର ଦେବା ପରେ ବି ଓଏମଜି ୨ ବକ୍ସ ଅଫିସରେ ଶାନଦାର ସ୍କୋର କରିଛି। ଏହି ମୁଭି ୧୨୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି।

ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ’ଓଏମଜି ୨’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ମୁଭି ରିଲିଜ ହେବା ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଯାଇଥିଲା। ଏହି ମୁଭିଟି ଯୌନ ଶିକ୍ଷା ବିଷୟ ଉପରେ ଆଧାରିତ। ପରେ ଏହା ୨୭ ଟି କଟ ସହିତ ସେନ୍ସର ବୋର୍ଡରୁ ଏକ ‘ଏ-ଆଡଲ୍ଟସ ଓନଲି’ ସାର୍ଟିଫିକେଟ ପାଇଥିଲା। କୌତୁହଳର ବିଷୟ, ଅକ୍ଷୟ କୁମାରଙ୍କର ଏହା ହେଉଛି ପ୍ରଥମ ମୁଭି ଯାହାକି ୧୨ବର୍ଷରେ ଏ ସାର୍ଟିଫିକେଟ ପାଇଛି। ଆଉ ଏବେ ଖବର ଆସୁଛି ‘ଓ ମାଇଁ ଗଡ ୨’ ଓଟିଟିରେ ରିଲିଜ ହେବ ତାହା ପୁଣି ଅନକଟ।
ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ‘ଓ ମାଇଁ ଗଡ ୨’ ନିର୍ଦ୍ଦେଶକ ଅମିତ ରାୟ କହିଛନ୍ତି ଯେ ଏ ସାର୍ଟିଫିକେଟ ଦ୍ୱାରା ତାଙ୍କ ହୃଦୟ ଭାଙ୍ଗିଯାଇଛି। ସେ ନିଶ୍ଚିତ କରିଛନ୍ତି ଯେ ଏହି ଫିଲ୍ମଟି ବିନା କଟରେ ଓଟିଟିରେ ଉପଲବ୍ଧ ହେବ। ଅମିତ କହିଛନ୍ତି, ଆମ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଛି, କାରଣ ଆମେ ସମସ୍ତେ ଦେଖିବା ପାଇଁ ଫିଲ୍ମ ତିଆରି କରିଥିଲୁ, କିନ୍ତୁ ତାହା ହୋଇପାରିଲା ନାହିଁ। ଆମେ ସେମାନଙ୍କୁ U / A ସାର୍ଟିଫିକେଟ ଦେବାକୁ ଅନୁରୋଧ କଲୁ। କିନ୍ତୁ ସେମାନେ ରାଜି ହୋଇ ନ ଥିଲେ। ଆମେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲୁ … କିନ୍ତୁ ତା’ପରେ ସେମାନେ କିଛି ଦୂର ଗଲେ, ଆମେ କିଛି ଦୂର ଗଲୁ। ପରିବର୍ତ୍ତନ ସହିତ ମୁଭିଟି ମୁକ୍ତିଲାଭ କରିଛି … ।
ଓ ମାଇଁ ଗଡ ୨ର ଓଟିଟି ରିଲିଜ କୌଣସି କଟକଣା ବିନା ରିଲିଜ ହେବ କି ବୋଲି ପଚରାଯିବାରୁ ଅମିତ କହିଛନ୍ତି, ଦର୍ଶକେ ଫିଲ୍ମକୁ ପସନ୍ଦ କରିଥିବାରୁ ଆମେ ଖୁସି। ଫିଲ୍ମର ଉଦ୍ଦେଶ୍ୟ ଶୁଦ୍ଧ ଥିଲା। ଏପରି ଭାବରେ ଉପସ୍ଥାପିତ ହୋଇଛି ଯେ ଏହା ଅଶ୍ଳୀଳ ଶବ୍ଦ ନୁହେଁ। ଆମେ ବାସ୍ତବତା ବିଷୟରେ କଥାବାର୍ତ୍ତା କରୁ, କିନ୍ତୁ ମଧୁର ଏବଂ ହାସ୍ୟାସ୍ପଦ ଉପାୟରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ମୁଭିଟି ଓଟିଟି ପ୍ଲାଟଫର୍ମରେ ବିନା କଟ୍‌ରେ ଶୀଘ୍ର ରିଲିଜ ହେବ।

Share