ଖ୍ରୀଷ୍ଟମାସ ସପ୍ତାହାନ୍ତକୁ ଓମିକ୍ରନ୍‌ ମାଡ଼: ବିଶ୍ୱରେ ୬,୩୦୦ ବିମାନ ବାତିଲ

ନ୍ୟୁୟର୍କ,୨୭।୧୨: ବର୍ଷ ୨୦୨୧ କ୍ୟାଲେଣ୍ଡର ପୃଷ୍ଠାରୁ ଅପସରିଯିବାକୁ ବସିଥିବାବେଳେ ଖ୍ରୀଷ୍ଟମାସକୁ ନେଇ ସାରା ବିଶ୍ୱ ଉତ୍ସବମୁଖର। ତେବେ ଲୋକଙ୍କ ହର୍ଷୋଲ୍ଲାସରେ ବ୍ରେକ୍‌ ଲଗାଇଛି କୋଭିଡ୍‌-୧୯ ମହାମାରୀ। ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱରେ ଅନୂ୍ୟନ ୬,୩୦୦ ବିମାନକୁ ବାତିଲ କରାଯାଇଥିବାବେଳେ ହଜାର ହଜାର ଫ୍ଲାଇଟ୍‌ ଚଳାଚଳ ବିଳମ୍ବିତ ହୋଇଛି। ବିମାନ ଚଳାଚଳ ଉପରେ ଟ୍ରାକିଂ କରୁଥିବା ‘ଫ୍ଲାଇଟ୍‌ ଏଓ୍ବାର ଡଟ୍‌ କମ୍‌’ ଓ୍ବେବ୍‌ସାଇଟ୍‌ରେ ରବିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।
ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ଖ୍ରୀଷ୍ଟମାସ ଛୁଟିଦିନ ପାଇଁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି। କେବଳ ଖ୍ରୀଷ୍ଟମାସ
ଦିନ (ଶୁକ୍ରବାର) ସାରା ବିଶ୍ୱରେ ପ୍ରାୟ ୨,୪୦୦ ବିମାନ ଚଳାଚଳ ବାତିଲ ଓ ୧୧,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ସେଥିରୁ ୮୭୦ଟି ବିମାନ ଆମେରିକାରୁ ବାହାରିଥାଆନ୍ତା କିମ୍ବା ଅନ୍ୟ ଦେଶରୁ ଉଡ଼ାଣ କରି ଆମେରିକାର ବିମାନବନ୍ଦରଗୁଡ଼ିକୁ ଆସିଥାଆନ୍ତା। ସେହିପରି ଶନିବାର ୨,୮୦୦ ବିମାନ ଉଡ଼ାଣ ବାତିଲ କରାଯାଇଥିବାବେଳେ ୮,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ରବିବାର ମଧ୍ୟ ହଜାର ହଜାର ବିମାନ ଚଳାଚଳ ବନ୍ଦ ଓ ଉଡ଼ାଣରେ ବିଳମ୍ବ ହୋଇଛି। କୋଭିଡ୍‌ ସଂକ୍ରମିତ ହେବା ପରେ ପାଇଲଟ, ଫ୍ଳାଇଟ୍‌ ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀମାନଙ୍କୁ ଚିକିତ୍ସା କରାଯାଉଛି କିମ୍ବା କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ୁଛି। ଏଥିଯୋଗୁ ଲୁଫ୍‌ସାନା, ଡେଲ୍ଟା, ୟୁନାଇଟେଡ୍‌ ଏୟାରଲାଇନ୍ସ, ଜେଟ୍‌ବ୍ଲ୍ୟୁ ଭଳି କମ୍‌ ଷ୍ଟାଫ୍‌ ଥିବା ଅନେକ କ୍ୟାରିୟର୍‌ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଉଡ଼ାଣ କରିପାରି ନାହାନ୍ତି। ଚାଇନାର ଏୟାରଲାଇନ୍ସଗୁଡ଼ିକ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ବୃଦ୍ଧି ଯୋଗୁ କେବଳ ପୂର୍ବ ଚାଇନାରେ ୧,୦୦୦ ବିମାନ ଉଡ଼ାଣ କରିପାରିନାହିଁ। ଏଥିଲାଗି ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି।

Share