ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଏଯାବତ୍ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କେଣସି ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ ଆଇସୋଲେଶନରେ ରହି ପାରିବେ ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି, ‘ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ସ୍ବାସ୍ଥ୍ୟ ବିଭାଗ ରଖିଛି । ଓମିକ୍ରନ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକ କରାଯିବ । ଆକ୍ରାନ୍ତ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ବ୍ୟବସ୍ଥା କରାଯିବ। ସେ ଆହୁରି କହିଛନ୍ତି, ‘ଓମିକ୍ରନ ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି। ସାଧାରଣ କୋଭିଡ ଭଳି ଏହାର ଲକ୍ଷଣ ରହୁଛି ।