ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆଣ୍ଟିବଡିଗୁଡ଼ିକ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ ଅଞ୍ଚଳକୁ ଟାର୍ଗେଟ କରିଥାନ୍ତି। ‘ନେଚର’ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସ୍ପାଇକ୍‌ ପ୍ରୋଟିନ୍‌କୁ ଅକାମୀ କରୁଥିବା ଆଣ୍ଟିବଡିଗୁଡ଼ିକର ଟାର୍ଗେଟକୁ ଚିହ୍ନଟ କରାଯାଇଥିବାରୁ ନୂଆ ଟିକା ପ୍ରସ୍ତୁତି ଏବଂ ଆଣ୍ଟିବଡି ଚିକିତ୍ସାରେ ଏହା ସହାୟକ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି। ଏହା କେବଳ ଓମିକ୍ରନ୍‌ ଚିକିତ୍ସା ପାଇଁ ନୁହେଁ, ଭବିଷ୍ୟତରେ ଆସିବାକୁ ଥିବା ଅନ୍ୟ ଭାରିଆଣ୍ଟଗୁଡ଼ିକର ଚିକିତ୍ସାରେ ମଧ୍ୟ ସହାୟକ ହେବ ବୋଲି ହୋଓ୍ବାର୍ଡ ହଗ୍‌ସ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଇନ୍‌ଭେଷ୍ଟିଗେଟର ତଥା ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନ ସ୍କୁଲ୍‌ ଅଫ୍‌ ମେଡିସନ୍‌ର ଆସୋସିଏଟ୍‌ ପ୍ରଫେସର ଡାଭିଡ୍‌ ଭିସ୍‌ଲର କହିଛନ୍ତି। ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ରେ ୩୭ ମ୍ୟୁଟେଶନ ରହିଛି। ଏହି ମ୍ୟୁଟେଶନ ଶରୀରର କୋଷଗୁଡ଼ିକୁ କବଳିତ କରିଥାନ୍ତି। ଅଧିକ ମ୍ୟୁଟେଶନ ଯୋଗୁ ଓମିକ୍ରନ୍‌ ଦ୍ରୁତ ସଂକ୍ରମିତ ହେବା ସହ ଟିକା ନେଇଥିବା ବ୍ୟକ୍ତି ଏବଂ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରିଥାଏ।
ମ୍ୟୁଟେଶନର ପ୍ରଭାବ ଆକଳନ କରିବାକୁ ଗବେଷକମାନେ ଏହାର ପୃଷ୍ଠରେ ସେଡୋଭାଇରସ୍‌ ନାମରେ ଏକ ଅକ୍ଷମ ତଥା ଅପ୍ରାକୃତିକ ଭୂତାଣୁ ପ୍ରସ୍ତୁତ କରିଥିଲେ। ଓମିକ୍ରନ୍‌ ଭାରିଆଣ୍ଟର ସ୍ପାଇକ୍‌ ପ୍ରୋଟିନ୍‌ ପୂର୍ବ ଭାରିଆଣ୍ଟ ତୁଳନାରେ କୋଷ ପୃଷ୍ଠକୁ ୨.୪ ଗୁଣ ଅଧିକ ବାନ୍ଧି ରଖିଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଥିଲେ। ପୂର୍ବରୁ କୋଭିଡ୍‌ର ଅନ୍ୟ ଭର୍ସନ୍‌ ଦ୍ୱାରା ସଂକ୍ରମିତ ହୋଇଥିବା, ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ବ୍ୟବହାର କରି ଏହା ଓମିକ୍ରନ୍‌ ଭାରିଆଣ୍ଟକୁ କେତେ ପ୍ରତିରୋଧ କରୁଛି ତାହା ଆକଳନ କରିଥିଲେ। ତେବେ ସଂକ୍ରମଣ ରୋକିବାରେ ସେମାନଙ୍କ ଆଣ୍ଟିବଡିର କ୍ଷମତା କମିଯାଇଥିବା ଜଣାପଡ଼ିଥିଲା। ପୂର୍ବରୁ ସ୍ପୁଟ୍‌ନିକ-ଭି କିମ୍ବା ସିନୋଫାର୍ମ ଟିକା ନେଇଥିବା ବ୍ୟକ୍ତି ଏବଂ ଜନ୍‌ସନ୍‌ ଆଣ୍ଡ ଜନ୍‌ସନର ଗୋଟିଏ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡ଼ିର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ରୋକିବା କ୍ଷମତା ନଗଣ୍ୟ କିମ୍ବା ଆଦୌ ନ ଥିବା ଜଣାପଡ଼ିଥିଲା। କିନ୍ତୁ ଫାଇଜର, ମଡର୍ନା ଏବଂ ଆଷ୍ଟ୍ରାଜେନିକା ଟିକାର ୨ଟି ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡିରେ ଓମିକ୍ରନ୍‌ ସଂକ୍ରମଣ ରୋକିବା କ୍ଷମତା ରହିଛି।

 

Share