ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ନୂଆଦିଲ୍ଲୀ, ୩୦।୧୨: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି ପାଇଛି। ଯେଉଁମାନେ କୌଣସି ଯାତ୍ରା କରିନାହାଁନ୍ତି ସେମାନେ ମଧ୍ୟ ଓମିକ୍ରନରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଅମ୍ଳଜାନ ସହାୟତା ଆବଶ୍ୟକ ପଡ଼ିନାହିଁ।

ମେଟ୍ରୋ ଏବଂ ବସ୍‌ଷ୍ଟାଣ୍ଡରେ ଭିଡ଼ ସମ୍ପର୍କରେ ସେ କହିଛନ୍ତି ଯେ ଏଠାରେ ଲମ୍ବା ଲାଇନ ସରକାରଙ୍କୁ ଚିନ୍ତିତ କରିଛି। ନିୟମ ଲାଗୁ ହେବା ସମୟରେ ଲୋକେ ଏ ବିଷୟରେ ସଚେତନ ନ ଥିଲେ। ତେବେ ଏବେ ଏନେଇ କଡ଼ା କଟକଣା ଜାରି କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଲୋକନାୟକ ଜୟପ୍ରକାଶ ହସ୍ପିଟାଲର ଏମ୍‌ଡ଼ି ଡାକ୍ତର ସୁରେଶ କୁମାର କହିଛନ୍ତି ଯେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅଧିକାଂଶ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନାହିଁ। ପୂର୍ବରୁ ବିଦେଶ ଯାତ୍ରା କରିଥିବା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ସାଧାରଣ ଲୋକଙ୍କଠାରେ ଓମିକ୍ରନ୍‌ ଚିହ୍ନଟ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଭାରତରେ ଓମିକ୍ରନ୍‌ରେ କାହାର ମୃତ୍ୟୁ ଘଟି ନାହିଁ। ଦିଲ୍ଲୀରେ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ବ୍ୟତୀତ ଆକ୍ରାନ୍ତଙ୍କୁ ମ୍ୟାକ୍ସ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଓମିକ୍ରନ ସେଣ୍ଟରରେ ଭର୍ତ୍ତି କରାଯାଇଛି।

 

Share