ଆମେରିକାରେ ଡେଲ୍ଟା ନୁହେଁ ଓମିକ୍ରନରେ ହୋଇଛି ଅଧିକ ମୃତ୍ୟୁ

ୱାଶିଂଟନ,୩୦ ।୧: କୁହାଯାଉଛି କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ଭଳି ଏତେ ଭୟଙ୍କର ନୁହେଁ । ଏଥିରେ ମୃତ୍ୟୁହାର କମ୍ । ହେଲେ ଆମେରିକାରେ ଡେଲ୍ଟା ତୁଳନାରେ ଓମିକ୍ରନ୍ ଅଧିକ ଭୟଙ୍କର ହୋଇଛି । ଏଠାରେ ଡେଲ୍ଟା ତୁଳନାରେ ପ୍ରତିଦିନ ଓମିକ୍ରନରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୬୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସାରା ବିଶ୍ୱରେ ଗୋଟିଏ ଦିନରେ ୩୪.୧୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୩୩୦ ଜଣଙ୍କ ମୃତ୍ୟୁ ହୋଇଛି ।
ଇତିମଧ୍ୟରେ ଲିଫୋର୍ନିୟା ବିଶ୍ୱବିଦ୍ୟାଳୟ, ଇରୱିନରେ ଜନସ୍ୱାସ୍ଥ୍ୟ ପ୍ରଫେସର ଏଣ୍ଡ୍ର‌୍ୟୁ ନୋୟମର କହିଛନ୍ତି ଓମିକ୍ରନ୍ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବ । ତେଣୁ ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକ । ସୂଚନାଯୋଗ୍ୟ, ଆମେରିକା ଏବେ ନୂଆ ସଂକ୍ରମିତଙ୍କୁ ନେଇ ୫.୨୨ ଲକ୍ଷ ସହ ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ଫ୍ରାନ୍ସ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩.୫୩ ଲକ୍ଷ । ସେହିପରି ବ୍ରାଜିଲ ୨.୫୭ ଲକ୍ଷ ସହ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ୩୭.୦୮ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ୫୬.୬୯ ଲକ୍ଷ ଲୋକଙ୍କ ଜୀବନ ଗଲାଣି ।

Share