ଦେଶରେ ୪୦ ଓମିକ୍ରନ୍ ସନ୍ଦିଗ୍ଧଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀର ସବୁଠାରୁ ମାରାତ୍ମକ ରୂପ ଓମିକ୍ରନ୍ ଏବେ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଆମ ଦେଶରେ ବି ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଏମାନେ କର୍ନାଟକର ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ସଂକ୍ରମିତ ରହିଥିବା ସନ୍ଦେହ କରାଯାଉଛି । ଏବେ ଦେଶରେ ପାଖାପାଖି ୪୦ ଓମିକ୍ରନ୍ ସଂକ୍ରମିତ ସନ୍ଦିଗ୍ଧ ରହିଥିବା ଅନୁମାନ କରାଯାଇଛି । ଏବେ ରାଜସ୍ଥାନ ଓମିକ୍ରନର ହଟ୍ ସ୍ପଟ୍ ହୋଇପାରେ ବୋଲି କୁହାଯାଉଛି । କାରଣ ଏଠାରେ ଗୋଟିଏ ପରିବାରର ୪ ସଦସ୍ୟ କରୋନାରେ ପୀଡ଼ିତ ହୋଇଥିବା ବେଳେ ଏମାନଙ୍କ ସମ୍ପର୍କରେ ଆସିଥିବା ଆଉ ୫ଜଣଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ବଡ କଥା ହେଲା ଏମାନେ ସମସ୍ତେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ରାଜସ୍ଥାନ ବ୍ୟତୀତ ଦେଶର ଆଉ କିଛି ସ୍ଥାନରେ ବି ଓମିକ୍ରନ୍ ସଂକ୍ରମିତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ମୁକାବିଲା କରିବାକୁ ଦେଶ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ତେବେ କର୍ନାଟକରେ ଆଉ ୧୦ ଓ ଆନ୍ଧ୍ରପ୍ରଦେଶରେ ୩୦ ଓମିକ୍ରନ୍ ସନ୍ଦିଗ୍ଧଙ୍କ ପତ୍ତା ମିଳୁ ନ ଥିବା କୁହାଯାଉଛି । ଅନେକ ଚେଷ୍ଟା ପରେ ବି ଏମାନଙ୍କର କୌଣସି ପତ୍ତା ମିଳୁନାହିଁ ।

Share