Categories: ଜାତୀୟ

୧୦ ଦକ୍ଷିଣ ଆଫ୍ରିକୀୟଙ୍କ ମିଳୁନି ପତ୍ତା

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଦେଶର ପ୍ରଥମ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଙ୍ଗାଲୁରୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ କର୍ନାଟକ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ନଭେମ୍ବର ୧୨ରୁ ୨୨ ମଧ୍ୟରେ ଦକ୍ଷିଣ ଆଫ୍ରିକୀୟମାନେ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣକଠାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଅନ୍ୟମାନଙ୍କୁ ଖୋଜି ବାହାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେମାନଙ୍କ ପରୀକ୍ଷା କରାଇବା ଜରୁରୀ ହୋଇଥିବା ବେଳେ ସେମାନେ କେଉଁଠି ଅଛନ୍ତି ଜଣାପଡ଼ୁନାହିଁ। ସେମାନେ ବିମାନବନ୍ଦରରେ ଯେଉଁ ଠିକଣା ଦେଇଥିଲେ ସେଠାରେ ସେମାନେ ନାହାନ୍ତି। ଏହା ବ୍ୟତୀତ ସେମାନଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଓମିକ୍ରନ୍‌ ବିପଦ ଥିବା ଦେଶରୁ ୫୭ ଜଣ କର୍ନାଟକ ଆସିଥିବା ଜଣାପଡ଼ିଛି। ଆଫ୍ରିକୀୟ ନାଗରିକଙ୍କୁ ଖୋଜି ବାହାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପୋଲିସ ସହାୟତା ନେଇଛି।

Share