Categories: ଅନୁଗୋଳ

ଅନୁଗୋଳ ଛୁଇଁଲା ଓମିକ୍ରନ

ଅନୁଗୋଳ ଅଫିସ,୩ା୧: ଅନୁଗୋଳ ଜିଲାରେ ପ୍ରବେଶ କରିସାରିଛି ମାରାତ୍ମକ କୋଭିଡ୍‌ ଭୂତାଣୁ ଓମିକ୍ରନ। ପୂର୍ବରୁ ଜିଲାରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ନମୁନା ଅଧିକ ପରୀକ୍ଷଣ ବେଳେ ସେମାନଙ୍କଠାରେ ଏହି ଓମିକ୍ରନ ପ୍ରଜାତିର ଭୂତାଣୁ ଥିବା ରବିବାର ଜଣାପଡ଼ିଛି। ଏହାକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢ଼ିଯାଇଛି। କିଛିଦିନ ଧରି ଜିଲାରେ କୋଭିଡ୍‌ ସଂକ୍ରମଣ ସେତେଟା ଦେଖିବାକୁ ମିଳୁ ନ ଥିବାବେଳେ ହଠାତ୍‌ ଓମିକ୍ରନ ଚିହ୍ନଟ ହେବା ସ୍ଥିତି ବିଗାଡ଼ିଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଜିଲା ପ୍ରଶାସନର ସୂଚନା ଅନୁଯାୟୀ, ରବିବାର ଅନୁଗୋଳ ଜିଲାରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଯେଉଁ ୨ ଜଣଙ୍କ ଦେହରେ ଓମିକ୍ରନ ପ୍ରଜାତି ଥିବା ଜଣାପଡ଼ିଛି, ସେମାନେ କିଛିଦିନ ତଳେ ଦୁବାଇରୁ ଫେରିଥିଲେ। ସଙ୍ଗରୋଧରେ ଥିବାବେଳେ ସେମାନଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରଠାରୁ ଉଭୟଙ୍କ ଚିକିତ୍ସା ଜାରି ରହିଛି। ଅଧିକ ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ପଠାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ପରିବାରର ଅନ୍ୟ ୮ ଜଣଙ୍କ ସ୍ବାବ୍‌ ରିପୋର୍ଟ ମଧ୍ୟ ନେଗେଟିଭ୍‌ ରହିଛି। ଆଗାମୀ ଦିନରେ ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୧୬ ରହିଛି। ୩୯୮ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୪ ଲକ୍ଷ ୨୧ ହଜାର ୮୨୫ ଜଣଙ୍କୁ ଟିକା ଦିଆସରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।