ଓମିକ୍ରନ୍‌ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍‌ ତୁଳନାରେ ଏହା ଦ୍ରୁତ ବେଗରେ ସଂକ୍ରମିତ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଦେଶ ସତର୍କତା ଅବଲମ୍ବନ କରୁଛନ୍ତି। କେତେକ ଦେଶରେ ଲକ୍‌ଡାଉନ୍‌ ତଥା ପ୍ରତିବନ୍ଧକ ଲଗାଯାଉଛି। ନିୟମ କଡାକଡି ମଧ୍ୟ କରାଯାଉଛି।

ବିଶେଷଜ୍ଞମାନେ ଏହି ଭାରିଆଣ୍ଟକୁ ଡେଲଟା ତୁଳନାରେ ଅଧିକ ବିପଜ୍ଜନକ ବୋଲି କହିଛନ୍ତି। କାରଣ ଏହା ଅତ୍ୟନ୍ତ ଅତ୍ୟାଧୁନିକ ମ୍ୟୁଟେଟେଡ ଭାରିଆଣ୍ଟ୍‌ ବୋଲି ଜଣାପଡିଛି।  ଡେଲ୍ଟା ଭାରିଆଣ୍ଟରେ କେବଳ ଦୁଇଟି ମ୍ୟୁଟେଶନ ମିଳିଥିବାବେଳେ ଓମିକ୍ରନ ଭାରିଆଣ୍ଟରେ ୩୦ ରୁ ଅଧିକ ମ୍ୟୁଟେଶନ ରେକର୍ଡ କରାଯାଇଛି । ଏହି କାରଣରୁ, ଏହା ଚିହ୍ନଟ ହେବାର ଦୁଇ ଦିନ ପରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ କନସର୍ନ ଅର୍ଥାତ୍‌ କରୋନାର ଏକ ଚିନ୍ତାଜନକ ରୂପ ଭାବରେ ବର୍ଣ୍ଣନା କରିଛି।

କରୋନା ର ଏହି ପ୍ରକାର ଦୁଇ ଦିନ ମଧ୍ୟରେ ଦୁଇଗୁଣା ଦେଶରେ ମିଳିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ୨୪ ନଭେମ୍ବରରେ ଏହାକୁ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୬ ସୁଦ୍ଧା ଓମିକ୍ରନ ୫ଟି ଦେଶକୁ ବ୍ୟାପି ଯାଇଥିଲା। ବର୍ତ୍ତମାନ ନଭେମ୍ବର ୨୮ ସୁଦ୍ଧା ଅତିକମରେ ୧୧ ଟି ଦେଶରେ ଓମିକ୍ରନ ମାମଲା ଦେଖିବାକୁ ମିଳିଛି। କେତେକ ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ ଓମିକ୍ରନ ୨ୁଣି ୧୨ ଦେଶରେ ବ୍ୟାପିସାରିଛି। ଆଫ୍ରିକାରୁ ୟୁରୋପ ପର୍ଯ୍ୟନ୍ତ ଦେଶରେ କରୋନାଭାଇରସର ଓମିକ୍ରନ ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏହା ବୋଷ୍ଟୱାନାରୁ ସୃଷ୍ଟି ବୋଲି ଅନୁମାନ କରାଯାଉଛି। ଏହା ସହ ଜଡିତ ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଥିଲା।

ଅନ୍ୟାନ୍ୟ ଦେଶ ଭ୍ରମଣ ପ୍ରତିବନ୍ଧକ କିମ୍ବା ନୂତନ ପ୍ରକାର ବିଷୟରେ ଚେତାବନୀ ଦେବା ପୂର୍ବରୁ ଏହା ବ୍ରିଟେନ, ବେଲଜିୟମ, ଜର୍ମାନୀ, ଇସ୍ରାଏଲ, ଚେକ ରିପବ୍ଲିକ, ଇଟାଲୀ, ହଂକଂ ଏବଂ ଅଷ୍ଟ୍ରେଲିଆରେ ବ୍ୟାପିଛି। ଏହା ସହ ଜଡିତ ଦୁଇଟି ମାମଲା ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିବା କୁହାଯାଉଛି। ଭାରତରେ ଓମିକ୍ରନ ବିସ୍ତାର ହେବାର ଆଶଙ୍କା କେତେ ସେ ନେଇ ଚର୍ଚ୍ଚା ହେଉଛି।

ମାର୍ଚ୍ଚ ୨୦୨୦ ରେ ଭାରତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଇବା କିମ୍ବା ଭାରତ ଫେରାଇ ଆଣିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ’ଏୟାର ବବଲ’ ଅନ୍ତର୍ଗତ ବିମାନ ଚଳାଚଳ ପାଇଁ କିଛି ଦେଶ ସହ ସହବନ୍ଧିତ ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ, ଭାରତ ସତର୍କତାର ସହିତ ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ଦେଶରୁ ବିମାନ ଚଳାଚଳକୁ ସୁନିଶ୍ଚିତ କରିଥାଏ। ବର୍ତ୍ତମାନ ଭାରତର ୩୧ଟି ଦେଶ ସହିତ ଏୟାର ବବଲ ଚୁକ୍ତି ରହିଛି। ଅର୍ଥାତ୍‌ ଏହି ଦେଶଗୁଡ଼ିକର ଲୋକମାନେ ଭାରତ ଯିବ ଆସିବା କରିପାରିବେ। ଯେଉଁ ଦେଶମାନଙ୍କରେ ଓମିକ୍ରନ ଭାରିଆଣ୍ଟ ମିଳିଛି, ଏୟାର ବବଲ ଅନ୍ତର୍ଗତ ବିମାନ ସେବା ଜାରି ରଖିବାକୁ ଭାରତ ତିନିଟିି ଦେଶ ସହିତ ଚୁକ୍ତି କରିଛି। ଏହି ଦେଶଗୁଡ଼ିକ ହେଉଛି ବ୍ରିଟେନ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ। ଏଭଳି ପରିସ୍ଥିତିରେ ଭାରତରୁ ଏହି ତିନୋଟି ଦେଶର ବିମାନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଡିସେମ୍ବର ୧୫ରୁ ସମସ୍ତ ଦେଶ ସହିତ ବିମାନ ସେବା ପୁଣି ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିଲେ ମଧ୍ୟ କରୋନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି।

କରୋନାର ନୂତନ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କଣ୍ଟେନମେଣ୍ଟ ଏବଂ ସର୍ଭିଳାନ୍ସ୍‌କୁ ବୃଦ୍ଧି କରାଯିବା ଉଚିତ। ଏହା ବ୍ୟତୀତ ଟିକାକରଣର ଗତି ମଧ୍ୟ ତ୍ୱରାନ୍ବିତ ହେବା ଆବଶ୍ୟକ।

Share