ଓମିକ୍ରନ୍ ଯୋଗୁଁ ଫେବୃୟାରୀରେ ଆସିବ କରୋନାର ତୃତୀୟ ଲହର: ଆଇଆଇଟି ବମ୍ବେ

ମୁମ୍ବାଇ,୭ ।୧୨: କରୋନା ମହାମାରୀର ତାଣ୍ଡବ ଧୀରେ ଧୀରେ କମି ଆସୁଥିବା ବେଳେ ପୁଣିଥରେ ଚିନ୍ତାରେ ପକାଇଛି ଓମିକ୍ରନ୍ ଭାରିଏଣ୍ଟ । ଏହାଯୋଗୁ ଦେଶରେ ବିପଦ ବଢୁଥିବା ବେଳେ କରୋନା ମହାମାରୀର ତୃତୀୟ ଲହର ଏହି ଓମିକ୍ରନ୍ ଯୋଗୁ ଆସିବ ବୋଲି ଅନୁମାନ କରାଯାଉଛି । ହେଲେ ଦ୍ୱିତୀୟ ଲହରଠାରୁ ଏହାର ପ୍ରଭାବ କମ୍ ରହିବ ବୋଲି କୁହାଯାଉଛି । ମୁମ୍ବାଇର ଆଇଆଇଟି ଡାଟା ବିଶେଷଜ୍ଞ ଦଳ ଏହି ଅନୁମାନ ଲଗାଇଛନ୍ତି । ସେମାନଙ୍କ ମତ ଅନୁଯାୟୀ ତୃତୀୟ ଲହର ଫେବୃୟାରୀରେ ଆସିବା ବେଳକୁ ପ୍ରତିଦିନ ୧ଲକ୍ଷରୁ ଦେଢ ଲକ୍ଷ ଲୋକ ସଂକ୍ରମିତ ହେବେ । ବିଶେଷଜ୍ଞ ଦଳରେ ସାମିଲ ଥିବା ଡାଟା ବିଶେଷଜ୍ଞ ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଏହି ସଂକ୍ରମଣ ପଛରେ ଓମିକ୍ରନ ହିଁ ମୁଖ୍ୟ କାରଣ ହେବ । ନୂଆ ଭାରିଏଣ୍ଟ ଅଧିକ ଆଶଙ୍କା ସୃଷ୍ଟି କରିଛି । ହେଲେ ଓମିକ୍ରନ ଡେଲ୍ଟା ଭଳି ଘାତକ ନୁହେଁ । ପ୍ରଥମ କରି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ଏହି ସଂକ୍ରମଣକୁ ଦେଖି ଅନୁମାନ କରାଯାଏ ଯେ ଏଠାରେ ସଂକ୍ରମିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି ହେଲେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା କମ ରହିଛି । ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ ଦ୍ୱିତୀୟ ଲହର ସମୟରେ ଲକଡାଉନ ଯୋଗୁ ଏହାକୁ ରୋକାଯାଇ ପାରିଥିବା ବେଳେ ଏବେ ଓମିକ୍ରନ୍ ପାଇଁ ଅଳ୍ପ କିଛି ସମୟ ପାଇଁ ଲକଡାଉନ କରାଗଲେ ଏହାର ଲାଭ ମିଳିପାରିବ । ଏହାସହ ଗହଳି ସ୍ଥାନକୁ ନ ଯିବା ଓ ସବୁବେଳେ ମାସ୍କ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେମାନେ କହିଛନ୍ତି ।

Share