କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ଭାରିଏଣ୍ଟର ନାମ ରଖିଛି ‘ଓମିକ୍ରୋନ’ । ଏପର୍ଯ୍ୟନ୍ତ ମିଳିଥିବା ଭାରିଏଣ୍ଟ ମଧ୍ୟରୁ ଏହା ସବୁଠାରୁ ଦ୍ରୁତ ଗତିରେ ବ୍ୟାପିବା ସହ ବହୁ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏବେ କିଛି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବନ୍ଦ କରିଦେଇଥିବା ଜଣାପଡିଛି । ଏହା ଆଫ୍ରିକାର ଦକ୍ଷିଣ ଆଫ୍ରିକା, ବୋତ୍ସୱାନାରେ ଦେଖାଯାଇଛି । ଏସିଆ ଦେଶମାନଙ୍କ ମଧ୍ୟରୁ ହଂକଂରେ ଏହି ନୂଆ ଭାରିଏଣ୍ଟ ପହଞ୍ଚି ଯାଇଥିବା କୁହାଯାଉଛି । ମିଡିଲ ଇଷ୍ଟର ଇସ୍ରାଏଲ ଓ ୟୁରୋପର ବେଲଜିୟମ ପର୍ଯ୍ୟନ୍ତ କୁଆଡେ ପହଞ୍ଚିଗଲାଣି ଓମିକ୍ରୋନ । ଏହାକୁ ନେଇ ଭାରତରେ ବି ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଏବେ ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି, ୱେଟ ଆଣ୍ଡ ୱାଚର ସମୟ ଆସିଯାଇଛି । କରୋନାର ନୂଆ ଭାରିଏଣ୍ଟକୁ ଯେମିତି ଦେଶରେ ପ୍ରବେଶ ହେବାକୁ ନ ଦିଆଯାଏ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି । ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି, ଏହି ନୂଆ ଭାରିଏଣ୍ଟ ଯଦି ଡେଲ୍ଟା ସହ ମିଶିଯିବ ତେବେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ । ଜିନୋମ ସିକ୍ୱେସିଂ ଉପରେ ନଜର ରଖିଥିବା ଇନ୍ସାକଂଗ କହିଛି ନୂଆ ଭାରିଏଣ୍ଟ ବି,୧,୧,୫୨୯ ଡେଲ୍ଟାରେ ମିଶିଲେ ସ୍ଥିତି ଗମ୍ଭୀର ହେବ । ହେଲେ ଏପର୍ଯ୍ୟନ୍ତ ଏହି ମିଶ୍ରଣର କୌଣସି ମାମଲା ସାମ୍ନାକୁ ଆସିନାହିଁ ।

Share