ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନୋମିକ୍ସ କନସୋର୍ଟିୟମ୍‌ (ଇନସାକୋଗ୍‌) ଏହାର ସର୍ବଶେଷ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ୍‌ ଦେଶରେ ଗୋଷ୍ଠୀସ୍ତରରେ ବ୍ୟାପିବାରେ ଲାଗିଛି। ଅଧ୍ୟୟନ ଅନୁଯାୟୀ, ଦେଶର କେତେକ ମେଟ୍ରୋରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ପ୍ରଭାବଶାଳୀ ହେବାରେ ଲାଗିଛି।

ଓମିକ୍ରନ୍‌ ସଂକ୍ରମଣର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବା ସହିତ ସାଧାରଣ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।

କେନ୍ଦ୍ର ସରକାରଙ୍କ କୋଭିଡ ଅନୁସନ୍ଧାନ ସଂଗଠନ ଏହା ମଧ୍ୟ କହିଛି ଯେ,ଓମିକ୍ରନର ସଂକ୍ରମଣ ବଢ଼ିବାରେ ଲାଗିଛି। ବି.୧.୬୪୦.୨ ଭାରିଆଣ୍ଟ୍‌ ଉପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିବାଗ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୫୨୫ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୭ ପ୍ରତିଶତ ପାଖାପାଖି ରହିଛି।

Share