ବାସୁଦେବପୁର, ୩।୧୧ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅଢ଼ୁଁଆ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିବା ପରେ କେତେବେଳେ କାନ୍ଦୁଛନ୍ତି ତ ଆଉ କେତେବେଳେ ହସୁଛନ୍ତି ତ କେତେବେଳେ ଛୋଟେଇ ଛୋଟେଇ ଚାଲି ଏଣୁତେଣୁ ଗପୁଛନ୍ତି। ପ୍ରାୟ ୩/୪ ଦିନ ଧରି ଏପରି ଘଟଣା ଘଟୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ବରଗଛ ମୂଳେ ଆସି ସଂଜ୍ଞାହୀନ ହୋଇପଡ଼ୁଛନ୍ତି। ଏହା କୌଣସି ଭୌତିକ କାଣ୍ଡର ପ୍ରଭାବ ବୋଲି ଗ୍ରାମବାସୀ କହୁଥିବା ବେଳେ ଏହାକୁ ଏଡ଼ାଇବା ପାଇଁ ଝଡ଼ାଫୁଙ୍କା, ପୂଜାର୍ଚ୍ଚନା କରାଯାଇଛି। ତେବେ ଛାତ୍ରୀଛାତ୍ରଙ୍କ ସ୍ବଭାବରେ କୌଣସି ପରିବର୍ତ୍ତନ ହେଉ ନ ଥିବା କୁହାଯାଇଛି। ବିଦ୍ୟାଳୟ ପରିସରରେ ଏଭଳି ଘଟଣା ଘଟୁଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେବା ସହ ପିଲାଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି।