ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ଏକଦା ୟୁପିରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓମ୍ପ୍ରକାଶ ରାଜଭାରଙ୍କ ଦଳ ସୁହେଲଦେବ ଭାରତ ସମାଜ ପାର୍ଟି(ସୁଭାସପା) ଅଖିଳେଶ ଯାଦବଙ୍କ ସମାଜବାଦିି ପାର୍ଟି (ଏସ୍ପି)ଙ୍କ ସହ ମେଣ୍ଟ କରି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱର ଏନ୍ଡିଏ ସରକାରଙ୍କୁ ୟୁପିରୁ ହଟାଇବାକୁ ଧ୍ରୁଷ୍ଟତା ଦେଖାଇଥିବା ଓମ୍ପ୍ରକାଶ ରାଜଭର ପୁଣିଥରେ ଘର ବାହୁଡା ପାଇଁ ଇଛୁକ ଥିବା ଚର୍ଚ୍ଚା ହେଉଛି। ପୁଣିଥରେ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ଫେରିବାକୁ ସୁଭାସପା ପ୍ରସ୍ତୁତ ଥିବା ଜଣାପଡ଼ିଛି। କୁହାଯାଉଛି, ଓମ୍ପ୍ରକାଶଙ୍କୁ ସୁଭାସପାର କୋଟାରୁ ଯୋଗୀଙ୍କ କ୍ୟାବିନେଟରେ ମନ୍ତ୍ରୀ କରାଯାଇପାରେ। ସୂଚନା ମୁତାବକ ମାର୍ଚ୍ଚ ୧୮ ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ ଓ ସୁନୀଲ ବଂସଲଙ୍କୁ ଭେଟିସାରିଛନ୍ତି ଓମ୍ପ୍ରକାଶ। ଏହି ନେତାମାନଙ୍କ ସହିତ ଓମ୍ପ୍ରକାଶଙ୍କ ସାକ୍ଷାତକାର ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଅନ୍ୟପଟେ ଭାଜପା ଓ ଓମ୍ପ୍ରକାଶ ମଧ୍ୟ ଏନେଇ କୌଣସି ବିବୃତ୍ତି ରଖି ନ ଥିବା ବେଳେ ତାଙ୍କର ଘର ବାହୁଡା ନେଇ ଚର୍ଚ୍ଚା ଜୋର ଧରିଛି।