୮ରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା

ଭୁବନେଶ୍ୱର,୨ା୭(ଅନିଲ ଦାସ)-ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍‌ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ମୌସୁମୀ ସକ୍ରିୟ ରହିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ମେଘୁଆ ରହିଥିଲେ ମଧ୍ୟ ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇଛି।

ଯଦିଓ ଗତ କିଛିଦିନ ହେବ ରାଜ୍ୟରେ ମୌସୁମୀଜନିତ ବର୍ଷା ହେଉଛି ତେବେ ତାହା ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଆସନ୍ତା ୩ରୁ ୪ ଦିନ ଯାଏ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୋଟାମୋଟି ଭାବେ ଆସନ୍ତା ୭ ତାରିଖ ଯାଏ ରାଜ୍ୟକୁ ଭଲ ବର୍ଷା ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share