Categories: ଜାତୀୟ

ଚଢ଼ାଉ ବେଳେ ପୋଲିସକୁ ଧରି ଛେଚିଲେ

ମୋତିହାରି,୭।୧୧: ବିହାରର ମୋତିହାରିରେ ଦୀପାବଳି ଦିନ ସନ୍ଧ୍ୟାରେ ଜଣେ ପୋଲିସ ଅଫିସରଙ୍କୁ ଏକ ଗୋଷ୍ଠି ବାନ୍ଧି ବାଡେଇଥିଲା। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ କ୍ୟାମେରା ଧରିଥିବା ବ୍ୟକ୍ତି ପୋଲିସ ଅଧିକାରୀଙ୍କୁ ବାରମ୍ବାର ପଚାରିଥିଲେ, କାହା କଥାରେ ଚଢ଼ାଉ କରିଛ ନାମ ପ୍ରକାଶ କର। ଦୀପାବଳିରେ ପୂରା ବିହାରର କୌଣସି ସ୍ଥାନରେ ପୋଲିସ ଚଢ଼ାଉ କରିପାରିବ ନାହିଁ।

ତେବେ ଏହି ଘଟଣା ଛାପ୍ରା ବାହାସର ଧର୍ମପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତ ପୋଲିସ ଅଧିକାରୀ ହେଲେ ଆସିଷ୍ଟାଣ୍ଟ ପୋଲିସ ସବ୍‌ ଇନ୍ସପେକ୍ଟର (ଏଏସ୍‌ଆଇ) ସୀତାରାମ ଦାସ।

ଗାଁରେ କିଛି ଲୋକ ମଦ୍ୟପାନ କରିବା ସହ ଜୁଆ ଖେଳୁଥିଲେ। ଏଥିନେଇ ଗାଁରେ ବିବାଦ ଦେଖା ଦେଇଥିବା ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଅଧିକାରୀ ବିବାଦର ସମାଧାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସୀତାରାମଙ୍କୁ ମଦ୍ୟପମାନେ ଘେରି ଏକ ପୋଲରେ ବାନ୍ଧି ମାଡ଼ ମାରିବା ସହ ଗାଳି କରିଥିଲେ। ଭାଇରାଲ ଭିଡିଓ ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Share