Categories: ଜାତୀୟ

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି ସନ୍ଦୀପ ସିଂ ନାନଗାଲ ଅମବିଆନ(୪୦)। ଘଟଣାର ତୁରନ୍ତ ପରେ ସନ୍ଦୀପଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ କହିବା ଅନୁଯାୟୀ, ନାକୋଦାରର ମାଲିଆନ ଖୁର୍ଦ ଗ୍ରାମରେ ଆୟୋଜିତ କବାଡ଼ି ଟୁର୍ନାମେଣ୍ଟ ଗ୍ରାଉଣ୍ଡରୁ ବାହାରିବା ପରେ ସନ୍ଦୀପଙ୍କ ଉପରେ ଗୁଳି ଚଳାଇଥିଲେ ୪ ଜଣ ଦୁବୃର୍ତ୍ତ। ସେମାନେ କବାଡ଼ି ଖେଳାଳିଙ୍କ ଉପରେ ୮ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ହତ୍ୟାକାଣ୍ଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ କିଛି ଲୋକ ଗଛ ପାଖରେ ଛିଡ଼ା ହୋଇ ଗୁଳି ଚଳାଉଥିବା ଦେଖିବାକୁ ମିଳୁଛି। ଜଳନ୍ଧର (ଗ୍ରାମୀଣ) ଡିଏସ୍‌ପି ଲଖଓ୍ବିନ୍ଦର ସିଂ କହିଛନ୍ତି, ମୃତ ଖେଳାଳି ଶାହକୋଟର ନାନଗଲ ଅମ୍ବିୟାନ ଗ୍ରାମର। ସେ ଇଂଲଣ୍ଡରେ ରୁହନ୍ତି ଏବଂ ଜଣେ ବ୍ରିଟିଶ ନାଗରିକ। ସେ ନିୟମିତ ଭାବେ ଗାଁରେ କବାଡି ଟୁର୍ନାମେଣ୍ଟ ଆୟୋଜନ କରୁଥିଲେ।

Share