Categories: ଜାତୀୟ

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଧେ ଦଳରେ ଯୋଗ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ବିଧାୟକ ସନ୍ତୋଷ ବାଙ୍ଗର ମୁମ୍ବାଇର ଏକ ହୋଟେଲକୁ ଯାଇଥିଲେ, ଯେଉଁଠାରେ ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥକ ବିଧାୟକଙ୍କ ସହ ରହିଥିଲେ। କୌତୁହଳର ବିଷୟ, ସିନ୍ଧେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ସନ୍ତୋଷ ବାଙ୍ଗର ପ୍ରାୟ ଏକ ସପ୍ତାହ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ସମର୍ଥନ ଦେବା ପାଇଁ କାନ୍ଦୁଥିଲେ।
ଜୁନ ୨୪ରେ ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବାକୁ ଶିବସେନାର ଅଧିକାଂଶ ବିଧାୟକ ଆସାମର ଗୁଆହାଟୀ ହୋଟଲକୁ ଯାଉଥିଲେ। ସନ୍ତୋଷ ବାଙ୍ଗର ଠାକରେଙ୍କ ସମର୍ଥନରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ କାନ୍ଦି କାନ୍ଦି ଉଦ୍ଧବ ଠାକ୍‌ରେ ପାଖକୁ ଫେରି ଆସିବାକୁ ବିଦ୍ରୋହୀ ବିଧାୟକଙ୍କୁ ନିବେଦନ କରିଥିଲେ। ସେ ଏହି ବିଦ୍ରୋହକୁ ବିଶ୍ୱାସଘାତକତା ବୋଲି କହି ଏକନାଥ ସିନ୍ଧେଙ୍କୁ ଫେରିବାକୁ ଅନୁରୋଧ କରିଥିଲେ। ସନ୍ତୋଷଙ୍କ ପାଖରେ ବସିଥିବା ଜଣେ ସମର୍ଥକ ରୁମାଲରେ ତାଙ୍କ ଗାଲକୁ ପୋଛି ଦେଇଥିଲେ। ବାଙ୍ଗର କହିଥିଲେ, ଉଦ୍ଧବ-ଜି ଠାକରେ, ଆପଣ ଆଗକୁ ଯାଆନ୍ତୁ, ଆମେ ଆପଣଙ୍କ ସହିତ ଅଛୁ।
ହିଙ୍ଗୋଲି ଜିଲାର କଲାମାନୁରୀରୁ ବାଙ୍ଗର ହେଉଛନ୍ତି ବିଧାୟକ। ଏହା ସହିତ ସିନ୍ଧେଙ୍କ ଦଳରେ ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୪୦କୁ ବୃଦ୍ଧି ପାଇଛି। ସୋମବାର ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଜିତିଛନ୍ତି। ୨୮୮ ସଦସ୍ୟ ବିଶିଷ୍ଟ ଗୃହରେ ସିନ୍ଧେଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି।

Share