Categories: ଜାତୀୟ

ଗାଈ ଚୋରାଚାଲାଣ ସନ୍ଦେହରେ କ୍ୟାମେରା ଆଗରେ ମୁସଲିମ ଯୁବକଙ୍କୁ ମାଡ଼

ମଥୁରା,୨୨।୩: ଗାଈ ମୃତଦେହ ନେଇ ଯାଉଥିବା ପିକ୍‌ ଅପ୍‌ ଭାନ ଡ୍ରାଇଭରଙ୍କୁ ଏକ ଗୋଷ୍ଠୀ ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମଥୁରାରେ ରବିବାର ରାତିରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି।

ରିପୋର୍ଟ ଅନୁଯାୟୀ, ଗାଡ଼ିରେ ଗାଈ ହାଡ଼ ଏବଂ ମୃତଦେହ ଦେଖିବା ପରେ ଗାଁ ଲୋକେ ଗାଡ଼ିକୁ ରୋକି ଥିଲେ। ଏହାପରେ ଗାଡ଼ି ଚଳାକ ମୁସଲିମ ଯୁବକଙ୍କୁ ନିର୍ଯାତନା ଦେଇଥିଲେ। ପୀଡ଼ିତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଉକ୍ତ ଗାଡ଼ି ଗାଁର ସଫେଇ ପାଇଁ ପଶୁଙ୍କ ମୃତଦେହକୁ ପୋତିବା କାର୍ଯ୍ୟରେ ମୁତୟନ ଥିବା ଜଣାପଡ଼ିଛି। ଗାଡ଼ିରେ କୌଣସି ଗାଈ କିମ୍ବା ଗୋମାଂସ ଚାଲାଣ କରାଯାଉ ନ ଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଭାଇରାଲ ଭିଡିଓରେ ମୁସଲିମ ଯୁବକଙ୍କୁ ଗାଳି କରିବା ସହ ମାଡ଼ ମାରୁଥିବା ଦେଖାଯାଉଛି। ତାଙ୍କ ଶାର୍ଟ ମଧ୍ୟ ଚିରି ଦିଆଯାଇଛି। ପୀଡ଼ିତ ହାତଯୋଡ଼ି ନେହୁରା ହୋଇଥିଲେ ମଧ୍ୟ ଆକ୍ରମଣକାରୀ ଦୟା ଦେଖାଇ ନ ଥିଲେ। ତାଙ୍କୁ ଚମଡ଼ା ବେଲ୍ଟରେ ପିଟିଥିଲେ। କେବଳ ଜଣେ ବ୍ୟକ୍ତି ହସ୍ତକ୍ଷେପ କରିବା ସହିତ ନିର୍ଯାତନା ରୋକିଥିଲେ। ପୋଲିସ ଏବେ ବିଭିନ୍ନ ଆଇପିସି ଦଫାରେ ଆକ୍ରମଣକାରୀଙ୍କ ନାମରେ ମାମଲା ରୁଜୁ କରିଛି।

Share