Categories: ଜାତୀୟ

ସ୍କୁଲ ଗେଟ୍‌ରେ ଛାତ୍ରୀଙ୍କ ହିଜାବ ଖୋଲି ଦେଲେ

ବେଙ୍ଗାଲୁରୁ,୧୪।୨: କର୍ନାଟକ ହାଇକୋର୍ଟ ଗତ ସପ୍ତାହରେ ଜାରି କରିଥିବା ଆନ୍ତରିଣ ରାୟ ଅନୁଯାୟୀ, ମାଣ୍ଡ୍ୟା ଜିଲାରେ ସରକାରୀ ସ୍କୁଲ କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଙ୍କୁ ହିଜାବ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ହିଜାବ ପରିଧାନ କରି ସ୍କୁଲ ଆସିଥିବା କିଛି ଛାତ୍ରୀଙ୍କୁ ଗେଟ୍‌ରେ ଅଟକାଇ ହିଜାବ ହଟାଇବାକୁ ବାଧ୍ୟ କରିଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଘଟଣାର ଭାଇରାଲ ଭିଡିଓରେ ଛାତ୍ରୀଙ୍କ ଅଭିଭାବକ ସ୍କୁଲ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ପରେ ଛାତ୍ରୀ ହିଜାବ ହଟାଇ ମାସ୍କ ପିନ୍ଧି ସ୍କୁଲ ପରିସରରେ ପ୍ରବେଶ କରିଥିଲେ।

ଭିଡିଓରେ ଦୁଇ ଛାତ୍ରୀଙ୍କ ବାପା ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହେଉଛି ତାହା ଜଣାପଡ଼ୁ ନାହିଁ।

କ୍ଲାସରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ କରିବାରୁ ଆରମ୍ଭ ହୋଇଥିବା ବିବାଦ ପରେ ସୋମବାରଠାରୁ କର୍ନାଟକରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ବୁଧବାର ଖୋଲିବ। ଉଲ୍ଲେଖଯୋଗ୍ୟ, ହିଜବା କଟକଣା ବିରୋଧରେ ହାଇକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହେବ।

Share