ଚଣ୍ଡିଗଡ଼, ୭।୮: ଅକାଳୀ ଦଳର ଯୁବନେତା ଭିକି ମିଦ୍ଦୁଖେରାଙ୍କୁ ପଞ୍ଜାବର ମୋହାଲିଠାରେ ଶନିବାର ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ଗ୍ୟାଙ୍ଗଓ୍ବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ଭାବନାକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ପୋଲିସ କହିଛି। ୪ ଜଣ ଦୁର୍ବୃତ୍ତ ଭିକିଙ୍କ ଉପରକୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରେ ୨ ଜଣ ଗୁଳି ଚଳାଉଥିବାବେଳେ ଭିକି ଜୀବନ ବଞ୍ଚାଇବା ଲାଗି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ଭିକିଙ୍କ ଗାଡ଼ି ପାଖରେ ହତ୍ୟାକାରୀମାନେ ସେମାନଙ୍କ କାରରେ ଅପେକ୍ଷା କରିଥିଲେ। ଭିକି ପୋସ୍ ମାର୍କେଟସ୍ଥିତ ଏକ ପ୍ରପର୍ଟି କନ୍ସଲ୍ଟାଣ୍ଟ ଅଫିସରରୁ ବାହାରି ତାଙ୍କୁ ଏସ୍ୟୁଭିରେ ବସିବାକୁ ଯାଉଥିଲାବେଳେ ହତ୍ୟାକାରୀ ଗୁଳି ଚଳାଇଥିଲେ। ଭିକି ଦୌଡ଼ିବାରୁ ସେମାନେ ତାଙ୍କ ପଛରେ କିଛି ବାଟ ପର୍ଯ୍ୟନ୍ତ ଗୋଡ଼ାଇ ଗୁଳି ଚଳାଇଥିଲେ। ଭିକିଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭିକି ଛାତ୍ର ନେତା ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷ ଥିଲେ। ପରେ ସେ ଶିରୋମଣି ଅକାଳୀ ଦଳର ଛାତ୍ର ସଂଗଠନରେ ଯୋଗଦେଇଥିଲେ।