Categories: ଜାତୀୟ

ସିଆଚେନ୍‌ରେ ଅଗ୍ନିବୀରଙ୍କ ମୃତ୍ୟୁ: ଶୋକବ୍ୟକ୍ତ କଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୨ା୧୦: କର୍ତ୍ତବ୍ୟରେ ଥିବା ଜଣେ ଅଗ୍ନିବୀରଙ୍କ ସିଆଚେନ୍‌ରେ ମୃତ୍ୟୁ ଘଟିଥିବା ସେନାର ଲେହ ମୁଖ୍ୟାଳୟ ପକ୍ଷରୁ ରବିବାର କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗଓ୍ବାତେ ଅକ୍ଷୟ ଲକ୍ଷ୍ମଣ ନାମକ ଏହି ଅଗ୍ନିବୀରଙ୍କ ମୃତ୍ୟୁରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସମସ୍ତ ର଼୍ୟାଙ୍କ୍‌ର ସେନା ଅଫିସରମାନେ ଶୋକବ୍ୟକ୍ତ କରିଛନ୍ତି।

କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଇଥିବାରୁ ଫାୟାର ଓ ଫୁରି କର୍ପସ୍‌ର ସବୁ ଯବାନ ତାଙ୍କୁ ସାଲ୍ୟୁଟ୍‌ କରିଛନ୍ତି। ଲକ୍ଷ୍ମଣଙ୍କ ଘର ମହାରାଷ୍ଟ୍ରରେ। ସମୁଦ୍ର ପତ୍ତନଠାରୁ ପାଖାପାଖି ୨୦ ହଜାର ଫୁଟ୍‌ ଉଚ୍ଚରେ ସିଆଚେନ୍‌ ଗ୍ଲାସିୟର ରହିଛି। ସୈନ୍ୟମାନଙ୍କୁ ସେଠାର ବରଫା ପରିବେଶ ଏବଂ ପ୍ରବଳ ବେଗରେ ବହୁଥିବା ପବନ ସହ ସଂଘର୍ଷ କରିବାକୁ ପଡ଼ିଥାଏ। ସୂଚନାଯୋଗ୍ୟ, ଭାରତର ପ୍ରଥମ ଅଗ୍ନିବୀର ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କର ଗତ ୧୧ ତାରିଖରେ କର୍ତ୍ତବ୍ୟରତ ଥାଇ ନିଜ ବନ୍ଧୁକର ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।

Share