Categories: ଜାତୀୟ

ନାରୀ ଶକ୍ତିକୁ ସଲାମ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହିଳାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି କହିଛନ୍ତି, ସମ୍ମାନ ଏବଂ ସୁଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇଛନ୍ତି। ଆର୍ଥିକ ବିକାଶ ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା, ଗୁଣାତ୍ମକ ସ୍ବାସ୍ଥ୍ୟସେବା,ଗୃହ, ଶିକ୍ଷା ଏବଂ ଉଦ୍ୟୋଗ ପର୍ଯ୍ୟନ୍ତ ଆମର ମହିଳାମାନଙ୍କୁ ଭାରତର ବିକାଶ ଯାତ୍ରାରେ ଆଗେଇ ନେବା ପାଇଁ ଅନେକ ପ୍ରୟାସ କରାଯାଇଛି। ଏହି ପ୍ରୟାସଗୁଡ଼ିକ ଭବିଷ୍ୟତରେ ମଧ୍ୟ ଜାରି ରହିବ।
ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି, ମହିଳା ଦିବସରେ ମୁଁ ନାରୀ ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତାକୁ ସଲାମ୍‌ କରୁଛି। ବିଭିନ୍ନ ଯୋଜନା ମାଧ୍ୟମରେ ଭାରତ ସରକାର ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଉଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର କଚ୍ଛ ଧୋର୍ଦ୍ଦୋ ଗ୍ରାମରେ ଅବସ୍ଥିତ ଏକ ମହିଳା ସାଧୁ ଶିବିରରେ ଆୟୋଜିତ ଏକ ସେମିନାରକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିବେ।

Share